କନକ ବ୍ୟୁରୋ : କେହି ଜଣେ ଜନ୍ମରୁ ଦିବ୍ୟାଙ୍ଗ ହେଉ କି ଦୁର୍ଘଟଣାରେ ପଡି ଦିବ୍ୟାଙ୍କ ହେଇଯାଉ । ଏହାପରେ ସ୍ୱାଭାବିକ ସେମାନଙ୍କର ମନୋବଳ ଦୁର୍ବଳ ହୋଇଯାଇଥାଏ । କେହି କେହି ପେଟ ପାଟଣା ପାଇଁ ଭିକ୍ଷା ମାଗନ୍ତି ତ କେହି କେହି ନିଜକୁ ଦିବ୍ୟାଙ୍ଗ ଭାବି ଅନ୍ୟ ଉପରେ ନିର୍ଭର ହୋଇଯାନ୍ତି । ହେଲେ ଆଜି ଆମେ ଏମିତି ଜଣେ ଦିବ୍ୟାଙ୍ଗଙ୍କ କଥା କହିବାକୁ ଯାଉଛୁ ଯେ କି ୮ ବର୍ଷ ବୟସରୁ ଦୃଷ୍ଟିହୀନ ହୋଇ ଯାଇଥିଲେ । ହେଲେ ତାଙ୍କ ଦୃଢ ମନୋବଳ କାରଣରୁ ସେ ଏବେ ଏକ ପ୍ରତିଷ୍ଠିତ କମ୍ପାନୀରେ ୪୭ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି ପାଇଛନ୍ତି ।

Advertisment

ସୂଚନା ମୁତାବକ ଇନ୍ଦୋରର ସୋନକିୟାଙ୍କୁ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଗ୍ଲୁକୋମା ରୋଗରେ ପୀଡିତ ହୋଇଥିଲେ । ଏହି କାରଣରୁ ସେ ସମ୍ପୂର୍ଣ୍ଣ ଭାବେ ନିଜର ଦୃଷ୍ଟିଶକ୍ତି ହରାଇ ଦେଇଥିଲେ । ହେଲେ ସେ ପିଲାବେଳୁ ସଫ୍ଟୱେୟାର ଇଂଜିନିୟର ହେବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଉପରେ କୌଣସି ପ୍ରଭାବ ପଡି ନଥିଲା । ଏହି ଦୃଢ ମନୋବଳ କାରଣରୁ ଏବେ ଏକ ପ୍ରତିଷ୍ଠିତ ସଫ୍ଟୱେୟାର କମ୍ପାନୀ ତାଙ୍କୁ ବାର୍ଷିକ ୪୭ ଲକ୍ଷ ଟଙ୍କା ଦରମାରେ ଚାକିରି ଦେଇଛି ।

ସୋନକିୟା ପାଠ ପଢିଥିବା ଶ୍ରୀ ଜିଏସ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜୀ ଆଣ୍ଡ ସାଇନ୍ସ କଲେଜର ଅଧିକାରୀ କହିଛନ୍ତି କି ୨୦୨୧ ମସିହାରେ ସୋନକିୟା ଏହି ଇନଷ୍ଟିଚ୍ୟୁଟରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସମାପ୍ତ କରିଥିଲେ । ଏବେ ତାଙ୍କୁ ମାଇକ୍ରୋସଫ୍ଟ କମ୍ପାନୀ ତରଫରୁ ୪୭ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି ମିଳିଛି ।

ସେପଟେ ସୋନକିୟା କହିଛନ୍ତି କି ସେ ଖୁବଶୀଘ୍ର ବେଙ୍ଗାଲୋର ସ୍ଥିତ ମାଇକ୍ରୋସଫ୍ଟ କମ୍ପାନୀର ଜଣେ ସଫ୍ଟୱେୟାର ଇଂଜିନିୟର ଭାବେ ଯୋଗ ଦେବାକୁ ଯାଉଛନ୍ତି । ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ତାଙ୍କୁ ଘରେ ରହି କାମ କରିବାର ସୁଯୋଗ ଦେଇଛି ।