ରାମମନ୍ଦିରକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବିବାଦୀୟ ବୟାନ । କହିଲେ ଅଯୋଦ୍ଧାରେ ରାମମନ୍ଦିର ନୁହେଁ ନିର୍ମାଣ ହେଉଛି ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ

1,811

କନକ ବ୍ୟୁରୋ : ମର୍ଯ୍ୟଦାପୁରୁଷ ରାମଚନ୍ଦ୍ରଙ୍କୁ ହିନ୍ଦୁଧର୍ମର ଅରାଧ୍ୟ ଦେବାତା ଭାବେ ପ୍ରତ୍ୟେକ ଭାରତୀୟ ମନେ କରନ୍ତି । ହେଲେ ଜଣେ ହିନ୍ଦୁଧର୍ମର ବାବା ଏବେ ରାମମନ୍ଦିର ନିର୍ମାଣକୁ ନେଇ ଯେଭଳି ବିବାଦୀୟ ବୟାନ ଦେଇଛନ୍ତି ତାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଅଯୋଦ୍ଧାରେ ରାମମନ୍ଦିର ନୁହେଁ ବରଂ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ ନିର୍ମାଣ ହେଉଛି ବୋଲି କହିଛନ୍ତି ଦ୍ୱାରକାଶରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ।

ମାଘ ମେଳାରେ ମୌନ ଅମାବାସ୍ୟା ସ୍ନାନ ପାଇଁ ଶନିବାର ପ୍ରୟାଗରାଜରେ ପହଂଚିଥିଲେ ଶଙ୍କରାଚାର୍ଯ୍ୟ । ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସ୍ୱାମୀ ସ୍ୱରୂପାନନ୍ଦ । ସେ କହିଥିଲେ କି କେହି ଗେରୁଆ ବସ୍ତ୍ର ପରିଧାନ କରିଦେଲେ ସେ ସନାତନୀ ଧର୍ମୀ ବୋଲି ବିବେଚିତ ହୋଇନଥାଏ । ପ୍ରଭୂ ଶ୍ରୀରାମ ଜଣେ ମହାପୁରୁଷ ନୁହନ୍ତି ବରଂ ସେ ଭଗବାନ ଓ ତାଙ୍କର ଉଭୟ ପାଶ୍ୱରେ ପୂଜା ପାଉଥିବା ପୁରୁଷ ୨ ଜଣ ହେଉଛନ୍ତି ମହାପୁରୁଷ ବୋଲି ଶଂକରାଚାର୍ଯ୍ୟ ମତ ରଖିଛନ୍ତି । ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ନେଇ ବି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ କି ପୂର୍ବରୁ ଯେଉଁ ଟ୍ରଷ୍ଟ ଗଠନ ହୋଇଥିଲା ସେଥିରେ ଶଙ୍କରାଚାର୍ଯ୍ୟଙ୍କ ସମେତ ମଣୋହି ଆଖଡାର କିଛି ଲୋକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏବେ ଯେଉଁମାନେ ଟ୍ରଷ୍ଟରେ ସଦସ୍ୟ ଅଛନ୍ତି, ସେମାନଙ୍କ ମନରେ ପ୍ରଭୂ ଶ୍ରୀରାମ ନାହାନ୍ତି । ଏହାସହ ରାମମନ୍ଦିର ନିର୍ମାଣ ନେଇ ଚାଲିଥିବା ପାଣ୍ଠି ସଂଗ୍ରହକୁ ନେଇ ଶଂକରାଚାର୍ଯ୍ୟ କହିଛନ୍ତି କି ଲୋକମାନେ କୋଟି କୋଟି ଟଙ୍କା ଟ୍ରଷ୍ଟକୁ ଦାନ କରୁଛନ୍ତି । ହେଲେ ଟ୍ରଷ୍ଟ ସେହି ଟଙ୍କାର ହିସାବ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସୁନା ଇଟା ପାଇଁ ଯେଉଁ ଟଙ୍କା ନିଆଯାଇଛି ତା’ର ହିସାବ କିଏ ଦେବ ବୋଲି ସେ ପ୍ରଶ୍ନ କରିଥିଲେ ।

ମାଘମେଳାକୁ ନେଇ ଶଂକରାଚାର୍ଯ୍ୟ କହିଛନ୍ତି କି ଏବେ ମାଘ ମେଳାରେ ତମାମ୍ ଶଂକରାଚାର୍ଯ୍ୟ ମାନେ ଯୋଗ ଦେଇଛନ୍ତି । ହେଲେ ସେମାନେ ଧର୍ମ ଅନୁସାରେ କାମ କରୁନଥିବା କଥା ଅଭିଯୋଗ କରିଛନ୍ତି ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ । ସେ କହିଛନ୍ତି କି ଶଂକରାଚାର୍ଯ୍ୟ ସିଏ ଯିଏ କି ଶିଦ୍ଧାନ୍ତକୁ ମାନି ଥାଏ ।