କନକ ବ୍ୟୁରୋ : ଦେଶରେ ଏଭଳି ସ୍ୱାମୀ-ସ୍ତ୍ରୀ ଯୋଡି ମିଳିବା କଷ୍ଟକର ଯେଉଁଥିରେ ଉଭୟ ୩ଷ୍ଟାର ଜେନେରାଲ ଅଟନ୍ତି । ଭାରତୀୟ ବାୟୁସେନାର ଏୟାର ମାର୍ଶଲ ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ଡ.ସାଧନା ସକସେନା ନାୟାର । ଭାରତୀୟ ବାୟୁସେନା ମୁତାବକ ନାୟାର ଏୟାର ମାର୍ସଲ ପାହ୍ୟାକୁ ପଦୋନ୍ନତି ପାଇବା ପରେ ହସ୍ପିଟାଲ ସର୍ଭିସେସ୍ (ସଶସ୍ତ୍ର ବାହିନୀ)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପ୍ରଥମ ମହିଳା ଅଧିକାରୀ ଭାବେ ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଛନ୍ତି ।

Advertisment

ଡ.ସାଧନା ସକସେନା ନାୟାରଙ୍କ ସ୍ୱାମୀ ଏୟାର ମାର୍ଶଲ କେପି ନାୟାର ଜଣେ ଲଢୁଆ ପାଇଲଟ ଥିଲେ । ସେ ୨୦୧୫ରେ ଭାରତୀୟ ବାୟୁସେନାର ନିରୀକ୍ଷଣ ଏବଂ ବିମାନ ସୁରକ୍ଷା ମହାନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଯୋଡି ଭାରତୀୟ ବାୟୁସେନାର ପୂର୍ବରୁ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଜେନେରାଲ ମାଧୁରୀ କାନୀତକର ଏବଂ ତାଙ୍କ ସ୍ୱାମୀ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କାନୀତକର ତିନି ତାରକା ଦମ୍ପତି ଥିଲେ ।

ସେପଟେ ଏୟାର ମାର୍ଶଲ ସାଧନା ନାୟାରଙ୍କ ପରିବାରର ୩ ପିଡି ଗତ ୭୦ ବର୍ଷ ଧରି ବାୟୁସେନାରେ ସେବା କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ବାପା ଓ ଭାଇ ମଧ୍ୟ ଭାରତୀୟ ବାୟୁସେନାରେ ଡାକ୍ତର ଥିବା ବେଳେ ପୁଅ ଜଣେ ଫାଇଟର ପାଇଲଟ୍ ।

ସାଧନା ନାୟାର ହେଉଛନ୍ତି ଦ୍ୱିତୀୟ ମହିଳା ଯେ କି, ଏୟାର ମାର୍ଶଲ ପାହ୍ୟାକୁ ପଦୋନ୍ନତି ପାଇବା ପର୍ଯ୍ୟନ୍ତ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ । ଏହି ସଫଳତା ହାସଲ କରିବାରେ ପ୍ରଥମ ମହିଳା ଅଧିକାରୀ ଥିଲେ ଏୟାର ମାର୍ଶଲ (ଅବସରପ୍ରାପ୍ତ) ପଦ୍ମା ବନ୍ଦୋପାଧ୍ୟାୟ । ୩ ତାରକା ପାହ୍ୟାରେ ପହଂଚିଥିବା ଅନ୍ୟ ଜଣେ ମହିଳା ଡାକ୍ତର ହେଲେ ନୌସେନାର ସର୍ଜନ ଭାଇଲ ଆଡମିରାଲ ପୁନିତା ଆରୋରା ।

ପୁଣେର ଅର୍ମଡ୍ ଫୋର୍ସ ମେଡିକାଲ କଲେଜରୁ ସ୍ନାତକ ହାସଲ କରିବା ପରେ ନାୟାର ଡିସେମ୍ବର ୧୯୮୫ ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ସେ ଫ୍ୟାମିଲି ମେଡିସିନିରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି ।