ବୁଣାକାରଙ୍କ ହାତ ତିଆରି ଶାଢୀ କିଣିନେଲେ ମହାମହିମ। ମଧ୍ୟାହ୍ନ ଭୋଜନରେ ପରସା ଗଲା ନିରାମିଷ ଖାଦ୍ୟ

882

କନକ ବ୍ୟୁରୋ: ଓଡିଶାର ବୁଣାକାରଙ୍କ ଦ୍ୱାରା ହାତରେ ତିଆରି ଶାଢୀ । ଶାଢୀରେ ରହିଛି କୋଟପାଡ, ବୋମକାଈ, ସମ୍ବଲପୁରୀ, ଇକତ, ପଶାପାଲି ଓ ପଟ୍ଟଚିତ୍ର ଭଳି ଶାଢୀ । ରାଷ୍ଟ୍ରପତି ଏହିସବୁ ଶାଢୀ ପିନ୍ଧିବାକୁ ଭଲ ପାଇଥାନ୍ତି । ବିଭିନ୍ନ କାର୍ଯ୍ୟର୍କ୍ରମରେ ବି ମହାମହିମ ଏହି ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳେ । ଓଡିଶା ରହଣି ସମୟରେ ଏହିସବୁ ଶାଢୀ କିଣିଛନ୍ତି ଦ୍ରୌପଦୀ ମୁର୍ମୁ । କରିଗର ଚତୁର୍ଭୁଜ ମେହେରଙ୍କ ଦ୍ୱାରା ତିଆରୀ ଶାଢୀ ସବୁ ନେଇ ବୁଧବାର ରାଜଭବନ ଯାଇଥିଲେ ମେହେର ଶାଢୀ ସୋ ରୁମର ମ୍ୟାନେଜର । ଆଉ ସବୁ ଶାଢୀ ଦେଖିବା ପରେ ଦେଢରୁ ଦୁଇ ଲକ୍ଷ ଟଙ୍କାର ଶାଢୀ କଣିଛନ୍ତି । ଶାଢୀ ସହ କିଛି ସୁଟପିସ ବି କିଣିଛନ୍ତି ମହାମହିମ ।

ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ ସବୁବେଳେ ନିରାମିଷ ଖାଇବାକୁ ପସନ୍ଦ କରିଥାନ୍ତି । ଗୁରବାର ବ୍ରହ୍ମାକୁମାରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱରରେ ତମାଣ୍ଡୋ ଯାଇଥିବାବେଳେ ମଧ୍ୟାହ୍ନଭୋଜନରେ ମହାମହିମଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ମେନ୍ୟୁ । ଆଉ ମେନ୍ୟୁରେ ଥିଲା ଭାତ, ଡାଲି , ପାମ୍ପଡ, ପୋଦିନା ଚଟଣୀ, କଲରା ଚିପ୍ସ, ଛତୁ, ପନୀର ଛୋଲେ, ପୋଟଳ କୁର୍ମା ଆଉ ଦହିବରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶାଗ ପସନ୍ଦ । ସେଥିପାଇଁ ଖାଦ୍ୟ ତାଲିକାରେ ଥିଲା ସଜନା ଶାଗ । ଆଉ ଶାଗର ସ୍ୱାଦ ବଢାଇବା ପାଇଁ ମିଶିଥିବା ବଡି ଆଉ ଜହ୍ନି ଆଉ ମିଠାରେ କ୍ଷୀରି ସହ ଛେନାପୋଡ ।

ଖାଦ୍ୟ ପ୍ରସ୍ତୁତ ହେଲା ପରେ ଠାକୁରଙ୍କ ପାଖରେ ଭୋଗ ଲାଗିଥିଲା । ଆଉ ତା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପରସା ଯାଇଥିଲା ଏହି ସ୍ୱାଦିଷ୍ଟ ଖାଦ୍ୟ ।