ଉଡନ୍ତା ବିମାନରେ ଭିଡିଓ ଉଠାଇବା ମନା । ଡିଜିସିଏଙ୍କ କଡା ନିର୍ଦ୍ଦେଶ : ଉଲ୍ଲଂଘନ କଲେ ୨ସପ୍ତାହ ବିମାନ ଯାତ୍ରା ହେବ ନିଲମ୍ବିତ, ଚଣ୍ଡିଗଡରୁ ମୁମ୍ବାଇ ଆସୁଥିବା କଙ୍ଗନାଙ୍କ ଭିଡିଓ ଉଠାଇବା ପାଇଁ ଗହଳି ପରେ କଡା ଆଭିମୁଖ୍ୟ

248

କନକ ବ୍ୟୁରୋ : ବିମାନ ଯାତ୍ରା ସମୟରେ ଭିଡିଓ କିମ୍ବା ଫଟୋ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ଡିଜିସିଏ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ବିମାନ ଭିତରେ କୌଣସି ଯାତ୍ରୀ ଭିଡିଓ କିମ୍ବା ଫଟୋ ଉଠାଇଲେ, ସେହି ରୁଟରେ ସଂପୃକ୍ତ ଯାତ୍ରୀଙ୍କ ବିମାନ ଯାତ୍ରାକୁ ୨ସପ୍ତାହ ପାଇଁ ନିଲମ୍ବିତ କରାଯିବ । ବିିମାନ ଏୟାରକ୍ରାଫ୍ଟ ନିୟମ ୧୯୩୭ର ଆକ୍ଟ ୧୩ର ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ନିୟମ କେବଳ ବିମାନ ଆକାଶରେ ଉଡୁଥିବା ବେଳେ ଲାଗୁ ହେବ, ବିମାନ ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ପରେ ଏହି ନିୟମ ଲାଗୁ ହେବ ନାହିଁ ।

ଚଳିତ ସପ୍ତାହରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଚଣ୍ଡିଗଡରୁ ମୁମ୍ବାଇ ଆସୁଥିବା ବେଳେ ବିମାନରେ ପ୍ରତିକ୍ରିୟା ନେବାକୁ ୨ ସାମ୍ବାଦିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଏପରି କି ବିମାନ ଭିତରେ ଥିବା ଯାତ୍ରୀମାନେ ମଧ୍ୟ ନିଜ ଫୋନରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଡିଜିସିଏ । କରୋନା କାଳରେ ବିମାନ ଉଡାଣ ସମୟରେ ସାମାଜିକ ଦୂରତା ଓ ସୁରକ୍ଷା ସଂପର୍କିତ ପ୍ରଟୋକଲ ଉଲ୍ଲଂଘନ ହୋଇଥିଲା । ଏନେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଣ୍ଡିଗୋଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିସିଏ ।