ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଦର ୧୫୦ ଟଙ୍କା ଟପିବା ଆକଳନ

108

କନକ ବ୍ୟୁରୋ: ଆହୁରି ବଢିପାରେ ତୈଳ ଦର । ପେଟ୍ରୋଲ ଦର ୧୧୦ଟଙ୍କା ଉପରେ ହୋଇଥିବା ବେଳେ ଏହା ପକେଟକୁ ବାଧୁଛି, ହେଲେ ଆକଳନ ଅନୁସାରେ ଏହି ଦର ୧୫୦ଟଙ୍କା ଟପିପାରେ । ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସେକ୍ସର ଆକଳନ ଅନୁଯାୟୀ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୧୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଯାହା ଏବେ ଥିବା ଦର ଅର୍ଥାତ ବ୍ୟାରେଲ ପ୍ରତି ୮୫ ଡଲାର ମୂଲ୍ୟର ପ୍ରାୟ ୩୦ଗୁଣ ଅଧିକ ।

ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ତୈଳ ବ୍ୟାରେଲ ପିଛା ଦର ୧୦୦ ଡଲାର ପହଞ୍ଚିପାରେ । କେବଳ ଏତିକି ନୁହେଁ ବ୍ୟାରେଲ ପିଛା ଦର ସର୍ବୋଚ୍ଚ ୧୪୭ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଉଛି । ଏହି ହିସାବରେ ଯଦି ଦର ବୃଦ୍ଧି ହୁଏ ତେବେ, ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କା ଓ ଡିଜେଲ ଦର ୧୪୦ ଟପିପାରେ । ତେବେ ଥରେ ଚିନ୍ତା କରନ୍ତୁ ପେଟ୍ରୋଲ ଦର ୧୧୦ ଟଙ୍କା ଟପିଲା ବେଳକୁ ମଧ୍ୟବିତ ପରିବାରର ମାସିକ ହିସାବ କିତାବ ବିଗଡି ଯାଉଛି । ସେହି ସ୍ଥାନରେ ଆପଣଙ୍କୁ ଯଦି ୧ ଲିଟର ପେଟ୍ରୋଲ ପିଛା ୧୫୦ଟଙ୍କା ଦେବାକୁ ପଡିବ ତା ହେଲେ ମଧ୍ୟବିତ ପରିବାରର ଲୋକେ କେତେ ଆୟ ଓ କେତେ ବ୍ୟୟ କରିବେ ।

୨୦୦୮ରେ ସାରା ବିଶ୍ୱ ମାନ୍ଦାବସ୍ଥା ଦେଇ ଗତିକରୁଥିବା ବେଳେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ହୋଇଥିଲା । ସେହି ସମୟରେ ମଧ୍ୟ ତୈଳ ଦର ସର୍ବାଧିକ ବୃଦ୍ଧି ପାଇଥିଲା । ତେବେ ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସେକ୍ସର ଆକଳନ ଯଦି ସତ ପ୍ରମାଣିତ ହୁଏ ତେବେ ଏହା ମଧ୍ୟବିତଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିବ । କାରଣ ତୈଳ ଦର ଉପରେ କେନ୍ଦ୍ର ସରକାର ଟିକସ କମାଇବେ ନାହିଁ । ଅପରପକ୍ଷରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତି କରିବାକୁ ନେଇ ପୂର୍ବରୁ ମଧ୍ୟ ବିରୋଧ ହେଉଛି । ତେଣୁ ସାଧାରଣ ଲୋକଙ୍କ ନିକଟରେ ବର୍ଦ୍ଦିତ ଦର ଦେବା ଛଡା ଅନ୍ୟ ଉପାୟ ନାହିଁ । ସୂଚନାଯୋଗ୍ୟ ଯେ, ଗତ ୨୮ ଦିନରୁ ୨୧ ଦିନ ବଢିଛି ପେଟ୍ରୋଲ ଡିଜେଲ ଦର ।

ତେବେ ଆମେରିକୀୟ ଇନଭେଷ୍ଟମେଂଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସେକ୍ସର ଆକଳନ ଅନୁସାରେ ସାରା ବିଶ୍ୱରେ ଏବେ ପ୍ରତି ଦିନ ୯୯ ମିଲିୟନ ବ୍ୟାରେଲ ତୈଳ ଖର୍ଚ୍ଚ ହେଉଛି । ଏହା ଖୁବ ଶୀଘ୍ର ୧୦୦ ମିଲିୟନ ବ୍ୟାରେଲରେ ପହଞ୍ଚିପାରେ, ଯାହା କରୋନା ପୂର୍ବରୁ ରହିଥିଲା ।