୬ ମାସ ହେଲା ଅନୁଦାନ ଆସିଛି, କିନ୍ତୁ ଏଯାଏଁ ଆରମ୍ଭ ହୋଇନି କାମ । ହନୁମାନ ମନ୍ଦିରର ଉନ୍ନତିକରଣ କାମରେ ବିଳମ୍ବ ଯୋଗୁଁ ଅନୁଦାନ ଫେରିଯିବାର ଆଶଙ୍କା

128

କନକ ବ୍ୟୁରୋ: ସରକାର ବିଭିନ୍ନ ଯୋଜନାର ସଫଳ ରୂପାୟନ ଲାଗି ଅନୁଦାନ ଘୋଷଣା କରୁଛନ୍ତି । ଆଉ ଦେଉଛନ୍ତି ମଧ୍ୟ । ହେଲେ କାମରେ ନଆସି ପଡିରହିଛି ଅନୁଦାନ । ଫଳରେ ଉନ୍ନତିମୂଳକ କାମରେ ବାଧକ ସାଜିବା ସହ ସେହି ଅନୁଦାନ ଫେରିଯିବା ନେଇ ଭୟ ସୃଷ୍ଟି ହୋଇଛି ।

ବ୍ରହ୍ମପୁର ମହାନଗର ନିଗମର ୩୫ନମ୍ବର ଓାର୍ଡ କହିଲେ ଗଜପତି ନଗର, ଜୟପ୍ରକାଶ ନଗର ଓ ବାସୁଦେବ ନଗରକୁ ବୁଝାଏ । ବାସୁଦେବ ନଗରରେ ଥିବା ହନୁମାନ ମନ୍ଦିରର ଉନ୍ନତିକରଣ ଲାଗି ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୦ଲକ୍ଷ ଟଙ୍କାର ଅନୁଦାନ ଓ ବିଧାୟକ ପାଣ୍ଠିରୁ ୨୦ଲକ୍ଷ ଟଙ୍କାର ଅନୁଦାନ ରାଶି ମିଳିଛି । ମୋଟ ୩୦ ଲକ୍ଷ ଅନୁଦାନରେ ବିଏମସି ଦାୟିତ୍ୱରେ ମନ୍ଦିର କାମ କରିବାକୁ କୁହାଯାଇଛି । ଅନୁଦାନ ମିଳିବାର ପ୍ରାୟ ୬ମାସରେ ଇଟା ଟିଏ ବି ପଡିନାହିଁ । ତେବେ ମହାନଗର ନିଗମ ପ୍ରଶାସନ ଓ ମନ୍ଦିର କମିଟି ମଧ୍ୟରେ ସମନ୍ୱୟ ଅଭାବରୁ କାମ ଆରମ୍ଭ ହୋଇପାରୁନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଆଗକୁ ନିର୍ବାଚନ ଥିବାରୁ କାମରେ ଆଉ ବିଳମ୍ବ ହେଲେ ଅନୁଦାନ ଫେରିଯିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ କାମରେ ବିଳମ୍ବ ନେଇ ମାଟି ଉପରେ ଦୋଷ ଲଦି ଦେଇଛନ୍ତି ସ୍ଥାନୀୟ କର୍ପୋରେଟର । ମନ୍ଦିର ପାଶ୍ୱର୍ରେ ବାହାନା ନାଳ ରହିଥିବାରୁ ବ୍ରହ୍ମପୁର ସହରର ମାଟି ଅପେକ୍ଷା ଏହି ଅଂଚଳର ମାଟି ଦୁର୍ବଳ ଅଛି । ତେଣୁ ବ୍ୟୟ ଅଟକଳରେ ପରିବର୍ତନ ଅଣାଯାଇଛି । ଆଗାମୀ ଏକ ସପ୍ତାହ ମଧ୍ୟରେ କାମ ଆରମ୍ଭ ହୋଇ ୨ମାସ ମଧ୍ୟରେ ମନ୍ଦିର ଉନ୍ନତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ୩୫ନମ୍ବର ଓାର୍ଡ କର୍ପୋରେଟର

ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ସହଯୋଗର ହାତ ବଢାଇ ଆସ୍ଥା ଭାଜନ ହେବାକୁ ସରକାର ଚେଷ୍ଟା କରୁଥିବା ବେଳେ ଉନ୍ନତି ମୁଳକ କାମରେ ଏପରି ମନ୍ଥରତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।