କନକ ବ୍ୟୁରୋ: ମେଗା ପାଣି ପ୍ରକଳ୍ପ । ୨୦୨୧ ମସିହାରେ ଏହି ପ୍ରକଳ୍ପର କାର୍ଯ୍ୟ ଶୁଭାରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ କାମ ମଧ୍ୟ ଶେଷ ହୋଇନାହିଁ । ଋଷିକୂଲ୍ୟା ନଦୀରେ ବୋହିଯାଉଥିବା ଜଳକୁ କଂସାରୀଗଣ୍ଡରେ ରୋକାଯାଇ ଏକ ବ୍ୟାରେଜ ନିର୍ମାଣ କରାଯିବ ଏବଂ ସେଠାରେ ଏକ ମେଗା ପ୍ରକଳ୍ପ ଦ୍ବାରା ସଂରକ୍ଷିତ ପାଣିକୁ ବିଶୋଧନ କରାଯାଇ ଜିଲ୍ଲାର ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ବ୍ଳକକୁ ପାଣି ପଠାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା । ଆଉ ଏହି ଲକ୍ଷ୍ୟ ନେଇ କାମ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ଦୀର୍ଘ ସାଢ଼େ ୩ ବର୍ଷ ପରେ ମଧ୍ୟ ଶେଷ ହେବାର ନାମ ନେଉନାହିଁ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଛତ୍ରପୁର ବିଧାୟକ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପକୁ ଆସନ୍ତା ୨୦୨୫ ବର୍ଷ ମଧ୍ୟରେ ଶେଷ କରିବା ନିମନ୍ତେ ଠିକାଦାରକୁ ତାଗିଦ କରିଛନ୍ତି ।

Advertisment

ବର୍ଷ ପରେ ବର୍ଷ ଗଡୁଛି । ଠିକାଦାର ପରେ ଠିକାଦାର ବଦଳୁଛନ୍ତି । କିନ୍ତୁ ପ୍ରକଳ୍ପ ସରିବାର ନା ନେଉନି । ଧିମେଇ ଯାଇଛି ଗଞ୍ଜାମ ଛତ୍ରପୁର ବ୍ଳକ ପୋଟ୍ଟଲାମପୁରର ମେଗା ୱାଟର ପ୍ରୋଜେକ୍ଟ । କଂସାରୀ ଗଣ୍ଡରେ ବ୍ୟାରେଜ କରି ଋଷିକୂଲ୍ୟା ପାଣିକୁ ସଂରକ୍ଷିତ କରାଯିବ । ସେହି ପାଣିକୁ ବିଶୋଧନ କରି ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଲୁଣ୍ଡା ବ୍ଳକର ୫୧ଟି ଗାଁକୁ ଯୋଗାଇବା ଲକ୍ଷ୍ୟରେ ୨୦୨୧ରେ ମେଗା ପ୍ରକଳ୍ପର ଶୁଭ ଦିଆଯାଇଥିଲା । ୨୫୦ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଶିଳାନ୍ୟାଶକୁ ସାଢ଼େ ୩ ବର୍ଷ ବିତିଗଲାଣି, ୩୦% କାମ ସରିନି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୋଟ୍ଟଲାମପୁରର ମେଗା ଜଳସେଚନ ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ସହ ଚାଷ ପାଇଁ ପାଣି ମିଳିବ ବୋଲି ଚାଷୀ ଆଶା ରଖିଥିଲେ । ହେଲେ କଚ୍ଛପ ଗତିରେ ଚାଲିଥିବା କାମକୁ ଦେଖି ଚାଷୀଙ୍କ ଆଶା ମଉଳି ଯାଉଛି ।

ସେପଟେ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପ୍ରକଳ୍ପର କାର୍ଯ୍ୟ ନିମ୍ନମାନର ହେଇଥିବା ସେ ହୃଦବୋଧ କରିଛନ୍ତି । ଆସନ୍ତା ୨୦୨୫ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଠିକାଦାରକୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ସାଢ଼େ ତିନି ବର୍ଷରେ ୩୦ ପ୍ରତିଶତ ଆଗେଇଥିବା ପ୍ରକଳ୍ପ କାମ ବିଧାୟକଙ୍କ ତାଗିଦ୍ ପରେ କେଉଁ ବେଗରେ ଯାଉଛି, ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।