କନକ ବ୍ୟୁରୋ: ଜାନୁଆରୀ ୨୯ରେ ବ୍ରଜରାଜନଗରରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କଲା ପୁଲିସ ଏଏସଆଇ ଗୋପାଳ ଦାସ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ । ଗୁଜରାଟରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯିବା ସହ ଅଭିଯୁକ୍ତକୁ ତୁହାକୁ ତୁହା ରିମାଣ୍ଡରେ ନେଇ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଏହାରି ଭିତରେ ଦୁଇ ମାସ ବିତିଯାଇଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି କଲା, ଏ ନେଇ ମୁହଁ ଖୋଲିନି କ୍ରାଇମବ୍ରାଞ୍ଚ ।

Advertisment

ନବ ଦାସଙ୍କ ହତ୍ୟାକାଣ୍ଡକୁ ୨ ମାସ ପୂରିଥିବା ବେଳେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ । ପୋଷ୍ଟର ଦେଖାଇ ହଟ୍ଟଗୋଳ କରିବା ସହ ସିବିଆଇ ତଦନ୍ତ ଦାବିକୁ ଦୋହରାଇଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବାରମ୍ବାର ଏହି ପ୍ରସଙ୍ଗ ବିଧାନସଭାରେ ଉଠୁଛି । କିଛି ନିର୍ଯାସ ବାହାରୁ ନାହିଁ । ବିଧାନସଭା ସରିଗଲେ ଘଟଣାକୁ ଚପାଇ ଦିଆଯିବ।

ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ କହିଛନ୍ତି, ୬୦ ଦିନ ପରେ ହତ୍ୟାକାଣ୍ଡର କାରଣ ଜଣାପଡ଼ିଲା ନାହିଁ । ଏସସିବି ମେଡିକାଲ ଟିମ୍ ଗୋପାଳ ପାଗଳ ନୁହେଁ କହିଛନ୍ତି । କିନ୍ତୁ ଗୋପାଳକୁ ପାଗଳ ସଜାଇବା ପାଇଁ ସରକାର ପାଗଳ ।

ଏଫବିଆଇ ତଦନ୍ତ ପାଇଁ ସରକାରଙ୍କୁ ସୁପାରିସକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ କଡ଼ା ପ୍ରତିକ୍ରିୟା ରଖିଛି ଶାସକ ଦଳ । ବିରୋଧୀ ଦଳକୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି,ଅଭ୍ୟାସଗତ ଭାବେ ଗପ ଶୁଣାଉଛନ୍ତି ବିରୋଧୀ । ଜଣେ ପାଗଳ ହୋଇଗଲେ ଗୋଟିଏ କଥାକୁ ବାରମ୍ବାର କୁହେ । ବିରୋଧୀ ହଟ୍ଟଗୋଳ ଯୋଗୁଁ ସ୍ୱାଭାବିକ ଭାବେ ଚାଲି ପାରିନଥିଲା ବିଧାନସଭା । ଗୃହ ଭିତରେ ଓ ବାହାରେ ପୋଷ୍ଟର ଦେଖାଇ ସରକାରଙ୍କୁ ଘେରିଥିଲା ବିଜେପି । ପୋଡିୟମ ତଳେ ନାରାବାଜି କରି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ । ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।