ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ବଡ ଷଡଯନ୍ତ୍ର ।

103

କନକ ବ୍ୟୁରୋ : ୧୯ ବର୍ଷ ତଳେ ଘଟିଥିଲା ଭୟଙ୍କର ଘଟଣା । ଯେତେବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ଷଡଯନ୍ତ୍ର । ଆଉ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ । ଆଉ ଏହି ଆକ୍ରମଣରେ ଆଖି ବୁଜିଥିଲେ ୯ ନିରୀହ ଜୀବନ ।

ସଂସଦରେ ଭବନରେ ଚାଲିଥିଲା ଶୀତ ଅଧିବେଶନ । ବିପକ୍ଷଙ୍କ ଜବରଦସ୍ତ ହଙ୍ଗାମା ଯୋଗୁଁ ୪୦ ମିନିଟ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଉ ଗୃହ ମୁଲତବୀ ପରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ବିପକ୍ଷ ଦଳର ନେତା ସୋନିଆ ଗାନ୍ଧୀ ଗୃହରୁ ବାହାରି ନିଜ ନିଜ ବାସଭବନ ଅଭିମୁଖେ ବାହାରି ପଡିଥିଲେ ।

ହେଲେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ କିଛି ନେତା ଗୃହରେ ଉପସ୍ଥିତ ଥିଲେ । ଆଉ ସବୁଦିନ ଭଳି ସେଦିନ ମଧ୍ୟ ଲୋକସଭା ପରିସରରେ ମିଡିଆ କର୍ମୀଙ୍କ ଗହଳି ଲାଗି ରହିଥିଲା । ଏହି ସମୟରେ ଏକ ଧଳା ଆମ୍ବାସାଡାର କାର ସଂସଦ ଭବନ ପରିସର ଭିତରକୁ ମାଡିଆସିଥିଲା । ଗାଡି ସ୍ପିଡ ଦେଖି ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

କିଛି ସମୟ ପରେ ଗାଡିରୁ ୫ ଜଣ ଆତଙ୍କବାଦୀ ବାହାରି ସଂସଦ ଭବନ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଆଉ ଏହି ଭୟାନକ ଘଟଣାରେ ଥରି ଉଠିଥିଲା ସାରା ଭାରତ । ଯେଉଁଠି ଦେଶର ଅଧିକ ସୁରକ୍ଷା ବ୍ୟବସ୍ଥା ରହିଥାଏ ସେଠି ଏଭଳି ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା ।

ଏହାପରେ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ ସିଆରପିଏଫ ଯବାନ ପହଞ୍ଚିଥିଲେ ଆଉ ଉଭୟ ପକ୍ଷରୁ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ଏଥିରେ ୫ ଆତଙ୍କୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏହି ଘଟଣାକୁ ପୂରିଛି ୧୯ ବର୍ଷ । ହେଲେ ଦେଶବାସୀଙ୍କ ମନରୁ ଯାଇନି ଏହି ଆକ୍ରମଣର ଭୟ ।