କନକ ବ୍ୟୁରୋ: ନିକଟରେ କାନପୁର ଅତର ବ୍ୟବସାୟୀଙ୍କ ଘରୁ ବିପୁଳ ଟଙ୍କା ଜବତ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଆଉ ଏକ ବ୍ୟବସାୟୀଙ୍କ ଘରୁ ଟଙ୍କା ଜବତ ଘଟଣା ଗଣମାଧ୍ୟମରେ ଆଲୋଚନାର ବିଷୟ ପାଲଟିଛି । କାରଣ ବ୍ୟବସାୟୀଙ୍କ ପାଣି ଟାଙ୍କିରୁ ପୁଳା ପୁଳା ଟଙ୍କା ଜବତ କରିଛି ଆୟକର ବିଭାଗ ।
ମଧ୍ୟପ୍ରଦେଶ ଦମୋହ ଅଞ୍ଚଳର ବ୍ୟବସାୟୀ ଶଙ୍କର ରାୟ ଓ ତାଙ୍କ ପରିବାରର ଠିକଣାରେ ପହଞ୍ଚି ରେଡ କରିଥିଲା ଆୟକର ବିଭାଗ । ଗୁରୁବାର ସକାଳ ୬ଟାରୁ ଆରମ୍ଭ ହୋଇଥିବା ରେଡ୍ ଶୁକ୍ରବାର ରାତି ୯ଟାରେ ଶେଷ ହୋଇଥିଲା । ଶେଷରେ ତାଙ୍କ ଛାତ ଉପରେ ଥିବା ପାଣି ଟାଙ୍କିରୁ ଆଇଟି ଅଧିକାରୀମାନେ ପାଇଥିଲେ ୮ କୋଟି ଟଙ୍କା । ଟଙ୍କାକୁ ଆଣି ଡ୍ରାୟରରେ ଶୁଖାଇବା ପରେ ତାକୁ ଗଣିବା ଆରମ୍ଭ କରିଥିଲେ ।
ବ୍ୟବସାୟୀ ଶଙ୍କର ରାୟ କିଛି ମାସ ହେବ ଇକ୍ମ ଟ୍ୟାକ୍ସ ଫାଙ୍କି ଆସୁଥିଲେ । ଫଳରେ ତାଙ୍କ ଘର ଉପରେ ଚଢଉ କରିଥିଲା ଆଇଟି । ଅନେକ ସ୍ଥାନ ଖୋଜିବା ପରେ ପାଣି ଟଙ୍କା ଉପରେ ଅଧିକାରୀଙ୍କ ସନ୍ଦେହ ହୋଇଥିଲା । ସେମାନଙ୍କ ସନ୍ଦେହ ସତ ମଧ୍ୟ ହୋଇଥିଲା । ପାଣି ଟାଙ୍କି ଖୋଲିବା ବେଳକୁ ସେଥିରେ ଥିଲା ଟଙ୍କା ଥିବା ବ୍ୟାଗ୍ । ଏହାସହ ତାଙ୍କ ଘରୁ ୩ କେଜିର ସୁନା ମଧ୍ୟ ଜବତ ହୋଇଛି ।