ବିଧାନସଭା ଶୀତ ଅଧିବେଶନ ପାଇଁ ରାଜନୈତିକ ଦଳଙ୍କ ପ୍ରସଙ୍ଗ ପ୍ରସ୍ତୁତ । ଜାଣନ୍ତୁ କେଉଁ ପ୍ରସଙ୍ଗରେ କିଏ କାହାକୁ କରିବ ଟାର୍ଗେଟ୍ ।

99

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନକୁ ଆଖି ଆଗରେ ରଖି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ସଜବାଜ । ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ତାର ଆଭିମୁଖ୍ୟକୁ ଶାଣିତ କରିଛି । ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ କରିବାକୁ ଡେଡଲାଇନ୍ ଦେଇଛି ଦଳ । ଅବଧି ଭିତରେ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଦଳ ଚେତାବନୀ ଦେଇଛି । ଅନୁମାନ କରାଯାଉଛି, ଅଧିବେଶନରେ ଏହା ଶାସକ ଦଳର ସବୁଠାରୁ ବଡ ମୁଦ୍ଦା ହୋଇପାରେ । ସେପଟେ ବିରୋଧୀ ମମିତା ହତ୍ୟା ଘଟଣାକୁ ମୁଖ୍ୟ ଅସ୍ତ୍ର କରିବେ ଗୃହକୁ ଆସିବେ ।

ମମିତା ଓ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇବେ ବିରୋଧୀ । ବିରୋଧୀଙ୍କ ପାଇଁ ବିଜେଡିର କାଉଣ୍ଟର ରଣନୀତି ! ବିଧାନସଭା ଭିତରେ ଓ ବାହାରେ ଉଠିବ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗ । ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନ ଏଥର ବେଶ ସରଗରମ ହେବ । କାରଣ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ମାଳମାଳ ପ୍ରସଙ୍ଗ । ତେଣୁ ଗୃହକାର୍ଯ୍ୟ ଚଳାଇବା ବାଚସ୍ପତିଙ୍କ ପାଇଁ ସମ୍ଭବ ହେବନାହିଁ ବୋଲି ସଙ୍କେତ ମିଳିଲାଣି । ଆଉ ଏହାକୁ କାଉଣ୍ଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି । ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆନ୍ଦୋଳନକୁ ତୀବ୍ର କରିବ ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀ କରି ଏନେଇ ସଙ୍କେତ ଦେଇଛନ୍ତି ବିଜେଡି ନେତା ।

ଦିନକ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଦଳ ନିଷ୍ପତି କରିଛି । ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବିରେ ଦଳ ତାର ଆନ୍ଦୋଳନ ଜାରି ରଖିଥିବାବେଳେ ପୁଣି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ଏକପ୍ରକାର ସ୍ପଷ୍ଟ । କଂଗ୍ରେସ ମଧ୍ୟ ମମିତାଙ୍କ ପରିବାରକୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିସାରିଛି । ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ଆଗୁଆ ବାରିପାରି ଗୃହରେ ହୋହଲ୍ଲାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ ବାଚସ୍ପତି । ହେଲେ ବିରୋଧୀ କିନ୍ତୁ ଏଭଳି ପ୍ରସଙ୍ଗ ହାତଛଡା କରିବା ମୁଡରେ ନାହାନ୍ତି ।

ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ୨୩ରୁ ୨୫ ତିନି ଦିନ ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା ଶାସକ ବିଜେଡି । ମହଙ୍ଗା ରୋଷେଇ ଗ୍ୟାସ ସମସ୍ତଙ୍କୁ ବାଧୁଥିବାରୁ ଏହାକୁ ଜନସମର୍ଥନ ମିଳିଥିବା ଦାବି କରୁଛି ବିଜେଡି । ତେଣୁ ଏହାକୁ ନେଇ ବିଧାନସଭା ଭିତରେ ବିରୋଧୀଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଜୁ ଜନତା ଦଳ ଯୋଜନା ବନାଉଥିବା ଅନୁମାନ କରାଯାଉଛି ।