୨୪ ଘଂଟାରେ ବଦଳିଗଲା ନିଷ୍ପତ୍ତି : ସ୍ୱଳ୍ପ ସଂଚୟ ଜମା ଉପରେ ସୁଧ ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଲେ କେନ୍ଦ୍ର ସରକାର; ଲାଗୁ ହେବ ପୁରୁଣା ସୁଧହାର

214

କନକ ବ୍ୟୁରୋ : ସ୍ୱଳ୍ପ ସଂଚୟ ଜମା ଉପରେ ସୁଧ ହ୍ରାସ ନିଷ୍ପତିକୁ ସ୍ଥଗିତ ରଖିଲେ କେନ୍ଦ୍ର ସରକାର । ଘୋଷଣା ହୋଇଥିବା ନୂଆ ସୁଧହାର ପରିବର୍ତେ ପୂର୍ବ ସୁଧହାର ଲାଗୁହେବ । ଅର୍ଥାତ ସ୍ୱଳ୍ପ ସଂଚୟ ଜମା ଉପରେ ୨୦୨୦-୨୧ ଆର୍ଥିକ ବର୍ଷରେ ଯେଉଁ ସୁଧହାର ଥିଲା ତାହା ବଳବତର ରହିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପୂର୍ବରୁ ଏପ୍ରିଲ ୧ରୁ ସ୍ୱଳ୍ପ ସଂଚୟ ଜମା ଉପରେ ସୁଧହାର କମାଇବାକୁ ଘୋଷଣା ହୋଇଥିଲା । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ଲାଗୁ ହେବ ବୋଲି କୁହାଯାଇଥିଲା । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁଧ ହାର ୧.୧୦ ପ୍ରତିଶତ ଯାଏଁ କମାଇ ଦିଆଯାଇଥିଲା । ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ- ପିପିଏଫରେ ସୁଧ ହାରରେ ୭୦ ବେସିସ୍ ପଏଂଟ ହ୍ରାସ କରିଥିଲେ ସରକାର । ଫଳରେ ଏହି ସ୍କିମରେ ସୁଧହାର ୭ ଦଶମିକ ୧ରୁ ଖସି ୬ ଦଶମିକ ୪ ପ୍ରତିଶତ ହୋଇଥାନ୍ତା ।

୫ବର୍ଷିୟ ଜାତୀୟ ସଂଚୟ ଯୋଜନାରେ ମିଳୁଥିବା ସୁଧହାରରେ ୯୦ ବେସିସ୍ ପଏଂଟ ହ୍ରାସ କରାଯାଇଥିଲା । ଫଳରେ ପୂର୍ବରୁ ଏହି ସ୍କିମରେ ମିଳୁଥିବା ସୁଧ ୬ ଦଶମିକ ୮ ପ୍ରତିଶତରୁ ହ୍ରାସ ପାଇ ୫ ଦଶମିକ ୯ ପ୍ରତିଶତ ହୋଇଥାନ୍ତା । ସେହିପରି ଝିଅଙ୍କ ଶିକ୍ଷା ଓ ବିବାହ ପାଇଁ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ମଧ୍ୟ ବଡଧରଣ ପ୍ରଭାବିତ ହୋଇଥାନ୍ତା । ବିଜ୍ଞପ୍ତି ଅନୁସାରେ ୭ ଦଶମିକ ୬ ପ୍ରତିଶତ ଥିବା ସୁକନ୍ୟା ସମୃଦ୍ଧି ସୁଧ ହାର ୬ ଦଶମିକ ୯ ପ୍ରତିଶତ ହୋଇଥାନ୍ତା ।