ବାଲେଶ୍ୱରରେ ଚୋରି ହୋଇଗଲା କି ଭୋଟ୍? ଦିବ୍ୟାଙ୍ଗ କହି, ପୋଷ୍ଟାଲ ବାଲାଟରେ ଭୋଟ୍ ନେଇ ଯାଇଥିବା ଅଭିଯୋଗ ଆଣିଲେ ମହିଳା ।

244

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଘର ବୁଲି ଭୋଟ ସଂଗ୍ରହ ଆରମ୍ଭ କରି ଦେଇଛନ୍ତି ପ୍ରିଜାଇଡିଂ ଅଫିସର । କିନ୍ତୁ, ଜଣେ ଏଭଳି ମହିଳାଙ୍କ ଠାରୁ ଭୋଟ ନିଆଯାଇଛି ଯିଏ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ବିକଳାଙ୍ଗ ବୋଲି ତାଲିକାରେ ଲେଖା ଯାଇଥିବା କହି ତାଙ୍କଠାରୁ ଭୋଟ ନିଆଯାଇଛି । ଘରୁ ଯାଇ ଭୋଟ ସଂଗ୍ରହ ପାଇଁ ୮ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଶ୍ନ ଉଠୁଛି ଏହି ତାଲିକା କେତେ ଠିକ୍?

ବାଲେଶ୍ୱରରେ ଭୋଟ ଜାଲିଆତି ଅଭିଯୋଗରେ ଉତେଜନା । ଅଭିଯୋଗ ହେଉଛି ସୁସ୍ଥ ଓ ସକ୍ଷମ ଲୋକଙ୍କ ଭୋଟ ମଧ୍ୟ ଘରେ ସଂଗ୍ରହ କରୁଛନ୍ତି ପ୍ରିଜାଇଡ଼ିଂ ଅଫିସର । ୧ ନମ୍ବର ୱାର୍ଡର ଜଣେ ମହିଳା ପ୍ରତିମା ନାୟକ, ସେ ଗର୍ଭବତୀ ନାହାନ୍ତି, କି ଭିନ୍ନକ୍ଷମ ନୁହଁନ୍ତି । ହେଲେ କରୋନା ଯୋଗୁଁ ନିୟମ ପରିବର୍ତନ ହୋଇଛି କହି ପ୍ରିଜାଇଡିଂ ଅଫିସର ତାଙ୍କ ଠାରୁ ଭୋଟ ସଂଗ୍ରହ କରିଛନ୍ତି । କରୋନା ପାଇଁ ୮୦ ବର୍ଷରୁ ଅଧିକ ବୟସ୍କ ଲୋକ, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ରୋଗ ଶଯ୍ୟାରେ ପଡିଥିବା ବ୍ୟକ୍ତି ଏମିତି କିଛି ବର୍ଗର ଲୋକଙ୍କ ଠାରୁ ପ୍ରିଜାଇଡିଂ ଅଫିସର ଭୋଟ ସଂଗ୍ରହ ଆରମ୍ଭ କରିଦେଇଛନ୍ତି । କିନ୍ତୁ ପ୍ରତିମା ନାୟକଙ୍କୁ ଭିନ୍ନକ୍ଷମ କହି ତାଙ୍କ ଠାରୁ ଭୋଟ ସଂଗ୍ରହ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବଡ କଥା ହେଉଛି, ଏହିପରି ୮ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । କିନ୍ତୁ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଯଦି ଦେଖାଯିବ, ତେବେ ଏଠାରେ ବଡ ଧରଣର ଜାଲିଆତିର ସନ୍ଦେହ ଉଠୁଛି । କାରଣ ୮ ହଜାର ଭୋଟ ନିର୍ବାଚନ ଫଳାଫଳକୁ ବି ପ୍ରଭାବିତ କରିଦେଇପାରେ ।