କନକ ବ୍ୟୁରୋ : କାନଫଟା ଶବ୍ଦ ସୃଷ୍ଟି କରିଥିବା ଡିଜେ ଵାଲାକୁ ଧର, ନଚେତ ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟ ବାହାରେ ଆମେ ଡିଜେ ବଜାଇବୁ । ବାସ୍ତବରେ ଛତିଶଗଡର ରାୟପୁର ପୁଲିସ ଅଧୀକ୍ଷକଙ୍କୁ ଏକ ନିଆରା ଚିଠି ଦିଆଯାଇଛି । ଏସପିଙ୍କ ନାମରେ ଲିଖିତ ଆବେଦନରେ ଆବେଦନକାରୀମାନେ ଡିସେମ୍ବର ୧୯ରେ ସନ୍ଧ୍ୟା ୪ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ବଙ୍ଗଳା ସମ୍ମୁଖରେ ଡିଜେ ବଜାଇବାକୁ ଅନୁମତି ମାଗିଛନ୍ତି। ଆବେଦନକାରୀମାନେ ଚିଠିରେ ଲେଖିଛନ୍ତି ଯେ ଯଦି ସମସ୍ତଙ୍କୁ ନିୟମ ଅନୁଯାୟୀ ଅନୁମତି ଦିଆଯାଉଛି, ତେବେ ଆମକୁ ମଧ୍ୟ ଅନୁମତି ମିଳିବା ଉଚିତ୍। ଯଦି ଆପଣ ଅନୁମତି ଦେଇପାରିବେ ନାହିଁ, ତେବେ ସମ୍ପୃକ୍ତ ଡିଜେ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ଆବେଦନପତ୍ରରେ ଲେଖାଯାଇଛି ଯେ ଡିସେମ୍ବର ୧୨ ତାରିଖରେ ସନ୍ଧ୍ୟା ୬ଟାରୁ ଡିସେମ୍ବର ୧୩ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ରାଖୀନାଭା ଗାଁରେ ଏକ କାର୍ଯ୍ୟକ୍ରମରେ ଡିଜେ ବଜାଯାଇଥିଲା । ଡିଜେର ଉଚ୍ଚ ଶବ୍ଦ ଯୋଗୁଁ ରାତିସାରା ଗ୍ରାମବାସୀମାନେ ଶୋଇପାରିନଥିଲେ । କାନଫଟା ଶବ୍ଦ ସମସ୍ତଙ୍କୁ ବିବ୍ରତ କରିଥିଲା ଓ ଶେଷରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ବି ଡିଜେ ବନ୍ଦ କରିନଥିଲେ ।
ଯେତେବେଳେ ପୁଲିସଙ୍କୁ ଏବାବଦରେ ପଚରାଯାଇଥିଲା, ସେମାନେ ଉତ୍ତର ଦେଇଥିଲେ ଯେ ଡିଜେ ବଜାଇବାକୁ ଅନୁମତି ମିଳିଛି । ଆଉ ଏହି ଅନୁମତିକୁ ବିରୋଧ କରି ଗ୍ରାମବାସୀମାନେ ଚିଠି ଲେଖି ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ବାହାରେ ଡିଜେ ବଜାଇବାକୁ ଅନୁମତି ମାଗିଛନ୍ତି । ଆବେଦନକାରୀମାନେ ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ଅନୁମତି ଦିଆଯିବ ନାହିଁ, ତେବେ ଉକ୍ତ ଡିଜେ ଅପରେଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।