କରୋନା ରୋଗୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ପ୍ରସଙ୍ଗ : ସିଡିଏମଓ କହିଲେ, ପିପିଇ କିଟ ପିନ୍ଧିବା ଡେରି ହେବାରୁ ଏପରି ସ୍ଥିତି ହେଲା, ତଦନ୍ତ କରାଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ

431

କନକ ବ୍ୟୁରୋ : କୋଭିଡ ରୋଗୀଙ୍କୁ ଚିକିତ୍ସା ନମିଳିବାରୁ ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ତାଙ୍କ ପତ୍ନୀ ପମ୍ପିଂ କରି ବଂଚାଇବାକୁ ଚେଷ୍ଟା କରୁଥିଲେ । ଆଉ ଏହି ଦୃଶ୍ୟକୁ ନେଇ ଗତକାଲି ସାରା ଓଡିଶାରେ ବେଶ ଚର୍ଚ୍ଚା ଚାଲିଥିଲା ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ସିଡିଏମଓ କହିଛନ୍ତି, ଡାକ୍ତର ଜଣଙ୍କ ପିପିଇ କିଟ ପିନ୍ଧିବାରେ ବିଳମ୍ବ ହେବାରୁ ରୋଗୀଙ୍କ ପାଖରେ ପହଂଚିପାରିନଥିଲେ ଯାହା ଫଳରେ ଏପରି ସ୍ଥିତି ଉପୁଜିଥିଲା । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କନକ ନ୍ୟୁଜକୁ କହିଛନ୍ତି ସିଡିଏମଓ । ଶେଷ ଖବର ଅନୁସାରେ ସିଡିଏମଓ ଏ ବାବଦରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ଘଟଣା ଘଟିବା ସମୟରେ ଡ୍ୟୁଟିରେ ଜଣେ ଆୟୁଷ ଡାକ୍ତର ଥିଲେ । ବର୍ତମାନ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ଏନେଇ ଜିଲ୍ଲାପାଳ ନିଷ୍ପତି ନେବେ ବୋଲି ସୂଚନା ମିଳିଛି ।

ଅନୁଗୁଳ ଜିଲ୍ଲାର ଜଣେ ସରକାରୀ କର୍ମଚାରୀ, ଚିକିତ୍ସା ପାଇଁ ଢ଼େଙ୍କାନାଳ ହସ୍ପିଟାଲକୁ ଆସିଥିଲେ । ରୋଗୀଙ୍କ ମଧୁମେହ ଏବଂ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଥିଲା । ଆଉ ଯେତେବେଳେ ଏହି ବ୍ୟକ୍ତିଙ୍କ କୋଭିଡ୍ ଟେଷ୍ଟ କରାଗଲା, ରିପୋର୍ଟ ପଜିଟିଭ୍ ବାହାରିଲା । । ଆଉ ରିପୋର୍ଟ ପାଇବା ପରେ ଅଚାନକ୍ ତଳେ ପଡ଼ିଯାଇଥିଲେ ଏହି ବ୍ୟକ୍ତି । ତଳେ ପଡ଼ି ଛଟପଟ ହେଲେ ସିନା, ପାଖକୁ କେହି ଆସିଲେ ନାହିଁ । ଆଉ ଶେଷରେ ଏହି ଭଳି ଦୟନୀୟ ଅବସ୍ଥାରେ ଆଖିବୁଜି ଦେଲେ ।