ସରପଞ୍ଚ ନିଲାମ ଅଭିଯୋଗ ପରେ ଚର୍ଚ୍ଚାରେ ରହିଛି ବିଲେଇସର୍ଡା ପଞ୍ଚାୟତ : ଅଭିଯୋଗ ପରେ ନାମାଙ୍କନ ଭରିଛନ୍ତି ୪ ଜଣ ପ୍ରାର୍ଥୀ

ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ କ'ଣ ରହିବ ସ୍ଥିତି,ଏହା ଉପରେ ନଜର

117

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ପଦ ନିଲାମ ଘଟଣା । ସରପଞ୍ଚ ନିଲାମ ଘଟଣାର ତଦନ୍ତ, ମାଜିଷ୍ଟ୍ରେଟ ଭାବେ କରୁଥିବା ପୁଇଁତଲା ତହସିଲଦାର ବିଲେଇସର୍ଡା ଗାଁର ୧୨ ଜଣଙ୍କୁ ନୋଟିସ ପଠାଇଛନ୍ତି । ଏଥିରେ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ଓ ସରପଞ୍ଚ ପଦ ନିଲାମ କରିଥିବା ଗାଁ ପୂଜା କମିଟିର ସଦସ୍ୟ ଥିବା ଜଣାପଡିଛି । ଆସନ୍ତା ୨୭ ତାରିଖରେ ସମସ୍ତଙ୍କୁ ବ୍ଲକ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିର୍ବାଚନ ସମୟରେ ସେମାନେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇବେ ।

୫ହଜାର ଟଙ୍କାର ଏକ ବଣ୍ଡ ପେପରରେ ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ୧୨ ଜଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରୁ ଅନୁମାନ କରିହେଉଛିି, ସରପଞ୍ଚ ପଦ ନିଲାମ ଘଟଣାକୁ ନେଇ ତଦନ୍ତ ବେଳେ ପ୍ରଶାସନ ହାତରେ କିଛି ସୁରାଗ ମିଳିଛି । ତେଣୁ ସେମାନଙ୍କୁ ତାଗିଦ୍ ପାଇଁ ନୋଟସ ପଠାଯାଇଛି । ସେପଟେ ସରପଞ୍ଚ ପଦ ନିଲାମ ଅଭିଯୋଗ ପରେ ମୋଟ ୪ ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ନାମାଙ୍କନ କରିଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇଥିବାରୁ ଆଉ କିଏ ନାମାଙ୍କନ ପ୍ରତ୍ୟାହାର କରିବେ ନା ନାହିଁ । ତା ଉପରେ ସମସ୍ତଙ୍କ ନଜର ରହିଛି । ବିଲେଇସର୍ଡାରେ ୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ ଖବର ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା । ଏହାକୁ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ ରାଜ୍ୟ ନିର୍ବାଚନ କମିମନ ।