କନକ ବ୍ୟୁରୋ : ଆମେ ଯାହା କହିବାକୁ ଯାଉଛୁ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କୌଣସି ଚଳଚିତ୍ରର କାହାଣୀ ଠାରୁ କିଛି କମ୍ ନୁହେଁ । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ଦିଆଯାଇଥିଲା ବିଷ । ତିନି ବର୍ଷ ତଳେ ଦୋଷା ସହ ବିଷ ଦିଆଯାଇଥିବା କହିଛନ୍ତି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର ।

Advertisment

ବଲିଉଡ୍ କାହାଣୀ ଭଳି ଲାଗୁଥିଲେ ବି ଏପରି ଘଟିଛି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରଙ୍କ ଜୀବନରେ । ୩ ବର୍ଷ ତଳେ ଘଟିଥିବା ଏହି ସାଂଘାତିକ ଘଟଣା ସଂପର୍କରେ ‘ଲଙ୍ଗ କେପ୍ଟ ସିକ୍ରେଟ’ ନାମକ ଶିରୋନାମାରେ ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ତପନ ମିଶ୍ର । ସୋସିଆଲ ମିଡିଆରେ ଏପରି ଖବର ପ୍ରକାଶ ପାଇବା ପରେ ହଇଚଇ ଖେଳିଯାଇଛି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ କିପରି ସେ ଷଡଯନ୍ତ୍ରରୁ ବଂଚି ଯାଇଥିଲେ, ବର୍ଣ୍ଣନା କରିଛନ୍ତି ଇସ୍ରୋର ଏହି ବରିଷ୍ଠ ବୈଜ୍ଞାନିକ । ଫେସବୁକ ପୋଷ୍ଟରେ ସେ ନିଜର ମେଡିକାଲ ରିପୋର୍ଟ ଓ ପାଦର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଇସ୍ରୋର ଏହି ଓଡ଼ିଆ ବୈଜ୍ଞାନିକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ୨୦୧୭ରେ  ଗୃହ ମନ୍ତ୍ରାଳୟର ସୁରକ୍ଷାକର୍ମୀ  ତାଙ୍କୁ ଏ ନେଇ ସାବଧାନ କରାଇଥିଲେ ।  ସେମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ଡାକ୍ତର ଠିକ ଉପଚାର କରିଥିଲେ  ଓ ସେ ଭଲ ହୋଇଛନ୍ତି ।

ବର୍ତମାନ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟକରୁଛନ୍ତି ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ର । ସେ କହିଛନ୍ତି, ୩ ବର୍ଷ ତଳେ ବେଙ୍ଗାଲୁର ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ପଦୋନ୍ନତି ସାକ୍ଷାତକାର ପରେ ତାଙ୍କୁ ଦୋଷା ଓ ଚଟନି ମଧ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ୍ ନାମକ ବିଷାକ୍ତ ପଦାର୍ଥ ମିଶାଇ ଖାଇବାକୁ ଦିଆଯାଇଥିଲା । ସେ କମ୍ ଖାଇଥିବାରୁ ମୃତ୍ୟୁ ମୁହଁରୁ ବଂଚି ଯାଇଥିଲେ, ହେଲେ ଭୀଷଣ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ । ଦୁଇ ବର୍ଷ କାଳ ତାଙ୍କର ଚିକିତ୍ସା ହୋଇଥିଲା । ପାଦ ତଳ ଏପରି ସଂକ୍ରମଣ ହୋଇଥିଲା ଯେ ସେ ଖାଲି ପାଦକୁ ତଳେ ରଖିପାରୁନଥିଲେ ।

 ‘ଆର୍ସେନିକ ଟ୍ରାଇଅକ୍ସାଇଡ୍’ର ବିଷାକ୍ତ ପ୍ରଭାବ– 

ବିଷ ପ୍ରକ୍ରିିୟା ଧିରେ ଧିରେ କାର୍ଯ୍ୟ କରେ

ଫୁସଫୁସ ଉପରେ ସାଂଘାତିକ ପ୍ରଭାବ ପକାଏ

ମସ୍ତିଷ୍କ ସହ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଙ୍କୁ ଅକାମୀ କରିଦିଏ

ହୃଦ୍ଘାତ ହୋଇ ମୃତ୍ୟୁ ମୁଖରେ ପକାଏ

ସାଂଘାତିକ ଭାବେ ଚର୍ମ ସଂକ୍ରମଣ ହୁଏ 

ଏବେ ପ୍ରଶ୍ନ ଉଠୁଛି, ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ମାରିବାକୁ କିଏ ଷଡଯନ୍ତ୍ର କରିଥିଲା । ତପନ ମିଶ୍ର ଏ ନେଇ କିଛି ସ୍ପଷ୍ଟ କରିନଥିବା ବେଳେ ସେ ଆଶାଙ୍କା କରିିଛନ୍ତି, ଇସ୍ରୋର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ନେଉନଥିବାରୁ ତାଙ୍କୁ ହଟାଇବାକୁ ଯୋଜନା ହୋଇଥିଲା ।

କେବଳ ଏତିକି ନୁହେଁ ଘରକୁ ସାପ ପଠାଯାଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା । ତାଙ୍କ କ୍ୱାର୍ଟରରେ ସାପ ଛଡାଯାଇଥିଲା ।  ତାଙ୍କ ଘରେ ତିନିମାସ ତଳେ  ଏକ ସୁଡଙ୍ଗ ଠାବ ହୋଇଛି । ଏହାକୁ ବନ୍ଦ କରାଯିବା ପରେ  ସାପ ଆସିବା ବନ୍ଦ ହୋଇଛି ବୋଲି ଦାବି କରିଛନ୍ତି ତପନ ମିଶ୍ର । ଅହମ୍ମଦାବାଦସ୍ଥିତ  ଇସ୍ରୋରେ ସେ ପୂର୍ବରୁ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ଏହି ମାସ ଶେଷରେ ସେ ଅବସର ନେବେ । ସେ କହିଛନ୍ତି, ଦେଶର ଅନେକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ହୋଇସାରିଛି । ତେଣୁ ଅଧିକ କିଛି ହେବା ପୂର୍ବରୁ ସମସ୍ତେ ଏ ବିଷୟ ଜାଣନ୍ତୁ ଏବଂ ତଦନ୍ତ ସଠିକ୍ ଭାବେ ହେଉ ବୋଲି ଦାବି କରିଛନ୍ତି ବୈଜ୍ଞାନିକ ତପନ ମିଶ୍ର ।