ଆକାଶରେ ନଜର ରଖିବ ସାଟେଲାଇଟ୍: ଇଓଏସ-୦୧ ରାଡାର ଇମେଜିଂ ସାଟେଲାଇଟର ସଫଳ ଉତକ୍ଷେପଣ; ୯ଟି ବିଦେଶର ଉପଗ୍ରହକୁ ବି ମହାକାଶରେ ଛାଡ଼ିଲା ଇସ୍ରୋ

ପ୍ରତିକୂଳ ପାଗରେ ବି ଆକାଶରୁ ଚିତ୍ର ପଠାଇବ ଇଓଏସ-୦୧

106

କନକ ବ୍ୟୁରୋ: ମହାକାଶରେ ଆଉ ଏକ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ  । ଇଓଏସ-୦୧ ଉପଗ୍ରହକୁ ସଫଳତାର ସହିତ କକ୍ଷପଥରେ ଅବସ୍ଥାପିତ କରିବା ସହ ୯ଟି ଉପଗ୍ରହକୁ ମଧ୍ୟ ସେମାନଙ୍କ କକ୍ଷ ପଥରେ ଛାଡିଛି ପିଏସଏଲଭି-ସି୩୯ । ଏହି ଉପଗ୍ରହ ରାଡାର ଇମେଜିଂ ସାଟେଲାଇଟ୍ ହୋଇଥିବାରୁ ଏହାର ଉଚ୍ଚ କ୍ଷମତାର ଇମେଜ୍ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବେଶ୍ ଉପଯୋଗୀ ହେବ ।

ସମୟ- ଅପରାହ୍ନ ୩ଟା ୧୨ । ସ୍ଥାନ- ସତିଶ ଧବନ ଉତକ୍ଷେପଣ କେନ୍ଦ୍ର, ଶ୍ରୀହରିକୋଟା । ଦୀର୍ଘ ବର୍ଷକର ବିରତି ପରେ ମହାକାଶକୁ ପୁଣି ଉପଗ୍ରହ ପଠାଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ । ଉତକ୍ଷେପଣ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡରୁ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲା ପିଏସଏଲଭି-ସି୩୯ ରକେଟ୍ । ଏହି ରକେଟ୍ଟି ଭାରତୀୟ ଉପଗ୍ରହ ଇଓଏସ-୦୧ ସହ ବିଦେଶର ୯ଟି ଉପଗ୍ରହକୁ ମହାକାଶକୁ ବୋହି ନେଇଛି । ଏହାସହ ଉତକ୍ଷେପଣର ୧୫ ମିନିଟ୍ ପରେ ପ୍ରଥମେ ଇଓଏସ-୦୧ ଉପଗ୍ରହକୁ ତାହାର କକ୍ଷ ପଥରେ ଅବସ୍ଥାପିତ କରିଥିଲା ରକେଟ୍ । ପରେ ପରେ ଅନ୍ୟ ୯ଟି ଉପଗ୍ରହକୁ ମଧ୍ୟ ସେମାନଙ୍କ କକ୍ଷ ପଥରେ ଛାଡିଥିଲା ପିଏସଏଲଭି-ସି୩୯ ।

ଇଓଏସ-୦୧ ଏକ ରାଡାର ଇମେଜିଂ ସାଟେଲାଇଟ୍ । ଏହା ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ । ଏହାର ଗୋଟିଏ ଅଂଶ ସ୍ଥଳଭାଗର ଇମେଜିଂ ଓ ମ୍ୟାପିଂ ପାଇଁ କରିବା ବେଳେ ଅନ୍ୟ ଏକ ସମୁଦ୍ର ଉପରେ ନଜର ରଖିବ । ଭୂମି, ଜଙ୍ଗଲ ମ୍ୟାପିଂ ଏବଂ ମନିଟରିଂ କରିବ ଏହି ଉପଗ୍ରହ । ଏହା ସହ ଜଳ, ଖଣିଜ ପଦାର୍ଥ , ମତ୍ସ୍ୟ ଉତ୍ସଗୁଡିକ ମଧ୍ୟ ମ୍ୟାପିଂ କରିପାରିବ । ପାଣିପାଗ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ, ମୃର୍ତିକାର ମୂଲ୍ୟାଙ୍କନ, ଭୌଗୋଳିକ ମାନଚିତ୍ର କରିବାରେ ମଧ୍ୟ ସହାୟକ ହେବ ଇଓଏସ-୦୧ ଉପଗ୍ରହ । ଏହାର ଉଚ୍ଚ କ୍ଷମତାର ଇମେଜ୍ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ଉପଯୋଗୀ ହେବ । ସବୁଠାରୁ ବଡ କଥା ହେଉଛି ଘନ ବାଦଲର ଆସ୍ତରଣ ଭେଦ କରି ମଧ୍ୟ ଫଟୋ ଉଠାଇବାକୁ ସକ୍ଷମ ଇଓଏସ-୦୧ ଉପଗ୍ରହ ।

ଇସ୍ରୋର ଏହି ସଫଳ ଉତକ୍ଷେପଣ ନେଇ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଅନ୍ୟପଟେ ଗତ ଡିସେମ୍ବର ମାସ ପରେ ଭାରତରେ ପ୍ରଥମ ଥର ପାଇଁ ଇସ୍ରୋ ଉପଗ୍ରହ ଉତକ୍ଷେପଣ କରିଛି ।