ଚନ୍ଦ୍ରୟାନ୍ -୨ ର ସଫଳ ପ୍ରକ୍ଷେପଣରେ ଇସ୍ରୋକୁ ମିଳିଛି ବଡ ଫାଇଦା ! ଏକବର୍ଷ ବଦଳରେ ଏବେ ଦୁଇବର୍ଷ ପାଇଁ ଚନ୍ଦ୍ରର ଚକ୍କର କାଟିପାରିବ କୃତ୍ରିମ ଉପଗ୍ରହ ।

305

ଚନ୍ଦ୍ରୟାନ୍ -୨ ର ସଫଳ ପ୍ରକ୍ଷେପଣ ପରେ ଭାରତବାସୀ ସେହି ସୂବର୍ଣ୍ଣ ମୁହୂର୍ତ୍ତର ଅପେକ୍ଷାରେ ରହିଛନ୍ତି ଯେଉଁଦିନ ଏହି ସ୍ୱଦେଶୀ ଯାନ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରି ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଂଚିବ । ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ୍ -୨ ସଙ୍ଗେ ଏକ କୃତ୍ରିମ ଉପଗ୍ରହ ମଧ୍ୟ ପଠାଯାଇଛି ଯାହା ଚନ୍ଦ୍ର ଚାରିପଟେ ପରିକ୍ରମା କରିବ ଏବଂ ରୋବର/ଇସ୍ରୋ ମଧ୍ୟରେ ସଂପର୍କ ଯୋଡି ରଖିବ । ଇସ୍ରୋ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଥିଲା ଯେ ଏହି କୃତ୍ରିମ ଉପଗ୍ରହ ଏକବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରର ଚାରିପଟେ ଚକ୍କର ଲଗାଇବ କିନ୍ତୁ ବର୍ତ୍ତମାନ ଏହା ବର୍ଷେ ବଦଳରେ ଦୁଇବର୍ଷ କାମ କରିପାରେ ବୋଲି ଅନୁମାନ ଲଗାଯାଉଛି ।

ଚନ୍ଦ୍ରୟାନ୍ -୨ ମିଶନ୍ ସହ ଜଡିତ ଥିବା ୫ ଜଣ ଅଧିକାରୀଙ୍କ କହିବାନୁସାରେ ପୂର୍ବରୁ ବର୍ଷେ ପର୍ଯ୍ୟନ୍ତ କୃତ୍ରିମ ଉପଗ୍ରହ କାର୍ଯ୍ୟ କରିବ ବୋଲି ଜଣାପଡୁଥିଲା କିନ୍ତୁ ଏବେ ଏହାର ବୟସ ବଢି ୨ ବର୍ଷ ହୋଇଥିବା କଥା ଜଣାପଡୁଛି । ଜଣେ ଅଧିକାରୀଙ୍କ କହିବାନୁସାରେ ଚନ୍ଦ୍ରୟାନ୍ -୧ ର ପାୱାର କନଭଟରରେ ସମସ୍ୟା ଦେଖାଯିବାରୁ ଏହାର ଜୀବନକାଳ କମିଯାଇଥିଲା କିନ୍ତୁ ଚନ୍ଦ୍ରୟାନ୍ -୨ ରେ ଏହି ତୃଟିକୁ ସୁଧରାଯାଇଛି । ଅସଲ କଥା ହେଉଛି ଏହି କୃତ୍ରିମ ଉପଗ୍ରହ କେତେ ସମୟ ଧରି ଚନ୍ଦ୍ରମାର ପରିକ୍ରମା କରିପାରିବ ଏହା କେବଳ ବଳକା ଥିବା ଇନ୍ଧନ ହିଁ କହିପାରିବ । ପ୍ରକ୍ଷେପଣ ସମୟରେ କୃତ୍ରିମ ଉପଗ୍ରହରେ ୧୬୯୭ କିଲୋଗ୍ରାମ୍ ଇନ୍ଧନ ଥିଲା । ଏହାପରେ ୨ ଥର ଚନ୍ଦ୍ରୟାନ୍ -୨ ର କକ୍ଷା ମଧ୍ୟ ବଦଳାଇ ଦିଆଯାଇଛି । ଯେଉଁଥିରେ ଇନ୍ଧନ ମଧ୍ୟ ଖର୍ଚ୍ଚ ହୋଇଛି । ଶନିବାର କୃତ୍ରିମ ଉପଗ୍ରହରେ ୧୫୦୦ କିଲୋଗ୍ରାମରୁ ଅଧିକ ଇନ୍ଧନ ବଳକା ଥିଲା । ମିଶନ୍ ସହ ଜଡିତ ଥିବା ଜଣେ ବୈଜ୍ଞାନିକ କୁହନ୍ତି ଭଲ ଉପାୟରେ ପ୍ରକ୍ଷେପଣ ହୋଇଥିବାରୁ ୪୦ କିଲୋ ଇନ୍ଧନକୁ ବଂଚାଇ ଦିଆଯାଇଛି । ଶୁଣିବାକୁ ମିଳୁଛି ଯେ , ଆହୁରି ୯ ଥର ଚନ୍ଦ୍ରୟାନ୍ -୨ ର କକ୍ଷାକୁ ପରିବର୍ତ୍ତନ କରାଯିବ ଯେଉଁଥିରେ ଇନ୍ଧନର ବ୍ୟବହାର ମଧ୍ୟ ହେବ । ସବୁ କକ୍ଷାର ପରିବର୍ତ୍ତନ ହେବା ପରେ ଅନ୍ତିମରେ କୃତ୍ରିମ ଉପଗ୍ରହ ପାଖରେ ୨୯୦.୨ କିଲୋଗ୍ରାମ୍ ଇନ୍ଧନ ବଳକା ରହିବ ଯାହା ଚନ୍ଦ୍ରମାର ପରିକ୍ରମା କରିବାରେ ବ୍ୟବହ୍ୃତ ହେବ । ଜଣେ ବୈଜ୍ଞାନିକଙ୍କ ମତରେ ଏହି କୃତ୍ରିମ ଉପଗ୍ରହରେ ଏବେ ଏତେମାତ୍ରାରେ ଇନ୍ଧନ ରହିଛି ଯେ ଏହା ଚନ୍ଦ୍ର ଚାରିପଟେ ୨ ବର୍ଷ ଧରି ପରିକ୍ରମା କରିପାରିବ ।