କନକ ବ୍ୟୁରୋ : ୨୦୨୪ର ପ୍ରଥମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆରମ୍ଭ କରିଛି ନୂଆ ଅଭିଯାନ । ସୋମବାର ସକାଳ ୯ଟା ୧୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଦେଶର ପ୍ରଥମ ସାଇଂଟିଫିକ ସାଟେଲାଇଟ୍ – ଏକ୍ସପୋସାଟର ସଫଳ ଉତକ୍ଷେପଣ ହୋଇଛି । ଏକ୍ସପୋସାଟ୍ ବା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ । ଭାରତୀୟ ବୈଜ୍ଞାନିକମାନେ ପ୍ରଥମ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି । ପିଏସ୍ଏଲଭି-ସି ୫୮ ରକେଟ୍ ଜରିଆରେ ଏକ୍ସପୋସାଟ୍ର ଉତକ୍ଷେପଣ ହୋଇଥିବାବେଳେ ଏହା ପୃଥିବୀର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ ।

Advertisment

 ଇସ୍ରୋ ଏହି ମିଶନ୍ ପାଇଁ ୨୦୧୭ ମସିହାରୁ ପ୍ରସ୍ତୁତି ଆରମ୍ଭ କରିଥିଲା । ଦୀର୍ଘ ବର୍ଷର ପରିଶ୍ରମ ପରେ ଆଜି ସଫଳତାର ସହ ଏକ୍ସପୋସାଟ୍କୁ ଉତକ୍ଷେପଣ କରିଛି ଇସ୍ରୋ । ଏହି ସାଟେଲାଇଟ୍ ମହାକାଶରେ ୫ ବର୍ଷ ଧରି ମହାକାଶର ଅନେକ ରହସ୍ୟ ଉନ୍ମୋଚନ କରିବ । ଭାରତ ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ମହାକାଶକୁ ପଠାଇବାରେ ସଫଳ ହୋଇଛି ।

ବ୍ରହ୍ମାଣ୍ଡର ରହସ୍ୟ ଖୋଲିବ ‘ଏକ୍ସପୋସାଟ’?
- ୫ ବର୍ଷ ପାଇଁ ମହାକାଶରେ କାମ କରିବା ‘ଏକ୍ସପୋସାଟ’
- ପୃଥିବୀ ଚାରିପଟେ ବୁଲି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଭେଦିବ!
- କୋଟି କୋଟି ଆଲୋକବର୍ଷ ଦୂରରେ ଥିବା ‘ବ୍ଲାକ୍ ହୋଲ୍’ ବିଷୟରେ ତଥ୍ୟ ଦେବ
- ନ୍ୟୁଟ୍ରନ୍ ଷ୍ଟାର, ପଲ୍ସର ୱିଣ୍ଡ ନେବୁଲା ସମେତ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ
- ଉଜ୍ଜ୍ୱଳ ଉତ୍ସରୁ ନିର୍ଗତ ଏକ୍ସ-ରେ ସଂଗ୍ରହ କରି ସେସବୁର ଅନୁଧ୍ୟାନରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ

୨୦୨୩ ଇସ୍ରୋ ପାଇଁ ବେଶ ସଫଳ ରହିଛି । ଗତବର୍ଷ ଐତିହାସିକ ଚନ୍ଦ୍ରଯାନ ମିଶନ୍ ଇସ୍ରୋର ସଫଳ ହୋଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଉ ୨୦୨୪ର ପ୍ରଥମ ଦିନରୁ ଆଉ ଏକ ଐତିହାସିକ ଅଭିଯାନ ବି ଆରମ୍ଭ କରିଛି ।