ବଢିବ ଇଣ୍ଟରନେଟ ସ୍ପିଡ । ଆସନ୍ତା ୧୭ରେ ଦେଶର ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଲଞ୍ଚ କରିବ ଇସ୍ରୋ ।

1,034

ଆସନ୍ତା ଜାନୁଆରୀ ୧୭ରେ ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଲଞ୍ଚ କରିବ ଇସ୍ରୋ । ଏହି ଉପଗ୍ରହ ଲଞ୍ଚ ହେବା ଦ୍ୱାରା ଦେଶର ସଞ୍ଚାର ବ୍ୟବସ୍ଥା ଆହୁରି ସୃଦୁଢ ହୋଇଯିବ । ଏପରିକି ଏହା ସାହାଯ୍ୟରେ ଦେଶରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ଆସିବା ନେଇ ବାଟ ଫିଟିବ । ଏପରିକି ଯେଉଁ ସ୍ଥାନକୁ ଏଯାଏଁ ମୋବାଇଲ ସେବା ପହଞ୍ଚି ପାରିନି ସେଠାକୁ ମଧ୍ୟ ବେଶ ସହଜରେ ମୋବାଇଲ ନେଟୱର୍କ ସେବା ପହଞ୍ଚିପାରିବ ।

୧୭ ଜାନୁଆରୀ ୨ଟା ୩୫ ମିନିଟ୍ ସମୟରେ ଇସ୍ରୋ ପକ୍ଷରୁ ଜିସାଟ-୩୦ ଉପଗ୍ରହ ଛଡାଯିବ । ଏହା ଇନସାଟ ସାଟେଲାଇଟ ସ୍ଥାନରେ କାମ କରିବ । ଏବେ ଦେଶରେ ଜିସାଟ ସିରିଜର ୧୪ଟି ସାଟେଲାଇଟ ମହାକାଶରେ କାମ କରୁଛି । ଯାହାଦ୍ୱାରା ଦେଶର ସଞ୍ଚାର ବ୍ୟବସ୍ଥା ଜାରି ରହିଛି । ଜିସାଟ-୩୦ ଉପଗ୍ରହ ଜିସାଟ ସିରିଜର ସବୁଠୁ ଶକ୍ତିଶାଳୀ ଉପଗ୍ରହ । ୩୧୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ଜିସାଟ-୩୦ ଉପଗ୍ରହ ସଞ୍ଚାର ପ୍ରଣାଳୀ, ଟେଲିଭିଜନ ନେଟୱର୍କ, ପାଣିପାଗ ସୂଚନା, ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ଆଗୁଆ ସୂଚନା, ରେସ୍କ୍ୟୁ ଅପରେସନରେ ବଡ ଭୂମିକାରେ ନଜର ଆସିଥାଏ ।

ଏହି ଉପଗ୍ରହ ଲଞ୍ଚ ହେବା ପରେ ଆଗାମୀ ୧୫ ବର୍ଷ ଯାଏଁ ମହାକାଶରେ ଭାରତ ପାଇଁ କାମ କରିବ । ଏଥିରେ ଦୁଇଟି ସୋଲାର ପ୍ୟାନେଲ ଓ ବ୍ୟାଟେରୀ ରହିବ ଯାହାଦ୍ୱାରା ସୌରଶକ୍ତି ଦ୍ୱାରା ଏହା ଚାଲିପାରିବ । ଏହାପୂର୍ବରୁ ସଞ୍ଚାର ବ୍ୟବସ୍ଥା ପାଇଁ କାମ କରୁଥିବା ଇନସାଟ ସାଟେଲାଇଟର ଅବଧି ମଧ୍ୟ ଶେଷ ହୋଇ ଆସୁଛି । ଏବେ ଦେଶରେ ଇଣ୍ଟରନେଟର ନୂଆ ଟେକ୍ନୋଲୋଜି ଆସୁଛି । ଅପ୍ଟିକାଲ ଫାଇବର ତାର ବିଛାଯାଉଛି । ତେଣୁ ଏଭଳି ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସାଟେଲାଇଟର ଆବଶ୍ୟକତା ପଡୁଛି । ଆଉ ଏହି ଆବଶ୍ୟକତାକୁ ଜିସାଟ-୩୦ ପୂରା କରିପାରିବ ।