ଗଗନଯାନ ମହାକାଶଚାରୀ ଅନ୍ତରୀକ୍ଷରେ କ’ଣ ଖାଇବେ ? ପ୍ରସ୍ତୁତ ହେଲା ଖାଦ୍ୟ ତାଲିକା, ଆସନ୍ତା ୨୦୨୧ ଡିସେମ୍ବରରେ ଗଗନଯାନ ଲଞ୍ଚ କରିବ ଇସ୍ରୋ ।

244

କନକ ବ୍ୟୁରୋ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ପକ୍ଷରୁ ଆଗାମୀ ୨୦୨୧ ଡିସେମ୍ବର ମାସରେ ପ୍ରଥମ ଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିସନ୍ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନଙ୍କ କହିବା ଅନୁଯାୟୀ, ଏହି ମିଶନ ପାଇଁ ଭାରତୀୟ ବାୟୁସେନାର ୪ଜଣ ଯବାନଙ୍କୁ ଚୟନ କରାଯାଇଛି । ଏବଂ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ଋଷ ପଠାଯିବ । ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଏହି ଅନ୍ତରୀକ୍ଷ ଯାତ୍ରୀ ମହାକାଶରେ କଣ ଖାଇବେ ।

ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ବିଶେଷ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ମହାକାଶରେ ସେମାନେ ଅଣ୍ଡା ରୋଲ, ଭେଜ୍ ରୋଲ୍, ମୁଗ ଡାଲିର ହାଲୱା, ଏବଂ ଭେଜ୍ ପଲଉ ଖାଇବେ । ଏହି ଖାଦ୍ୟକୁ ମହୀଶୂରର ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯିବ । ଅନ୍ତରୀକ୍ଷ ଯାତ୍ରୀଙ୍କ ଖାଦ୍ୟ ଗରମ କରିବାକୁ ଫୁଡ୍ ହିଟର ମଧ୍ୟ ଦିଆଯାଇଛି ।

ଏହା ସହ ଅନ୍ତରୀକ୍ଷ ଯାତ୍ରୀଙ୍କ ପିଇବା ପାଇଁ ପାଣି ଓ ଜୁସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଗନୟାନ ଅଭିଯାନ ପାଇଁ ଏକ ବିଶେଷ କଂଟେନରର ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଏହି କଂଟେନରରେ ମହାକାଶକୁ ନିଆଯିବ । ଆଉ ବଡ କଥା ହେଉଛି, ଏହି ଖାଦ୍ୟ ଏକ ବର୍ଷ ଯାଏଁ ସୁରକ୍ଷିତ ରହିବା ଭଳି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମୁଖ୍ୟ କେ ଶିବନଙ୍କ କହିବା ଅନୁଯାୟୀ, ଗଗନୟାନ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେବା ପରେ ବୈଜ୍ଞାନିକମାନେ ଏହି ବିଶାଳ ପ୍ରକଳ୍ପ ଉପରେ କାମ ଜାରି ରଖିଛନ୍ତି । ଏଥିପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା କୁହାଯାଉଛି ।