୨୦୨୨ ମିଶନ ପାଇଁ ଇସ୍ରୋ ଦ୍ୱାରା ଡିଜାଇନ୍ କରାଯାଇଛି ସ୍ୱତନ୍ତ୍ର ସ୍ପେଶ୍ ସୁଟ୍ : ଜାଣନ୍ତୁ କେବେ ଏହାକୁ ପିନ୍ଧି ମହାକାଶ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ?

185

୨୦୨୨ ମହାକାଶ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ) ସ୍ୱଦେଶୀ ମହାକାଶ ପୋଷାକ(ସ୍ପେଶ ସୁଟ୍) ତିଆରି କରିସାରିଛି । କମଳା ରଙ୍ଗର ଏହି ସ୍ପେଶ ସୁଟ୍ ବର୍ଷ ୨୦୨୨ର ମହାକାଶ ମିଶନ ପାଇଁ ପାଖାପାଖି ୨ ବର୍ଷ ରେ ପ୍ରସ୍ତୁତ କରାଯାଇଛି । ଗୁରୁବାର ବାଙ୍ଗାଲୁରୁରେ ଆୟୋଜିତ ସ୍ପେଶ୍ ଏକ୍ସପୋରେ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ମହାକାଶ ଯାତ୍ରୀଙ୍କ ପୋଷାକ ପ୍ରଦର୍ଶିତ ହୋଇଛି। ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟରର ବୈଜ୍ଞାନିକମାନଙ୍କର ଦୀର୍ଘ ୨ ବର୍ଷର ଗବେଷଣା ଓ ଉଦ୍ୟମରେ ଏହି ମହାକାଶ ପୋଷାକ ପ୍ରସ୍ତୁତ ହୋଇଛି।

ଏହି ପୋଷାକ ସହ ସଂଯୁକ୍ତ ହୋଇପାରିବ ଏକ ଅମ୍ଳଜାନ ସିଲିଣ୍ଡର। ଏହି ସିଲିଣ୍ଡର ସହାୟତାରେ ମହାକାଶଯାତ୍ରୀ ଏକ ଘଣ୍ଟା ପର୍ଯ୍ୟନ୍ତ ମହାକାଶରେ ନିଶ୍ୱାସ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଇସ୍ରୋ ପକ୍ଷରୁ ୨ଟି ପୋଷାକ ପ୍ରସ୍ତୁତ ହୋଇସାରିଛି ଓ ୨୦୨୨ରେ ୩ ଜଣ ମହାକାଶଚାରୀ ଭାରତୀୟ ମହାକାଶ ଯାନରେ ଯାତ୍ରା କରିବେ ବୋଲି ସୂଚନା ରହିଛି। ଏହି ମହାକାଶ ପୋଷାକର ଦୁଇଟି ମଡେଲ ପ୍ରଦର୍ଶିତ ହୋଇଛି। ଗୋଟିଏ କ୍ରିଉ ମଡେଲ୍ ହୋଇଥିବା ବେଳେ ଅନ୍ୟଟି କ୍ରିଉ ଏସକେପ୍ ମଡେଲ।

ଯୋଜନା ମୁତାବକ, ଏକ କ୍ୟାପସୁଲରେ ତିନି ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪୦୦ କିଲୋମିଟର ଦୂରରେ ଥିବା ଏକ ସ୍ୱତନ୍ତ୍ର କକ୍ଷପଥରେ ୫ରୁ ୭ ଦିନ ପରିକ୍ରମା କରିବେ। ଏହି କ୍ୟାପସୁଲରେ ଏକ ଥର୍ମାଲ ସିଲ୍ଡ ରହିଛି, ଯାହା ଦ୍ୱାରା ପୃଥିବୀ ପୃଷ୍ଠକୁ ପ୍ରବେଶ କରିବା ସମୟରେ ଏକ କବଚ ସଦୃଶ କାର୍ଯ୍ୟ କରିବ। କ୍ୟାପସୁଲରେ ବାହ୍ୟ ପାର୍ଶ୍ୱ ଏକ ଅଗ୍ନିପିଣ୍ଡରେ ପରିଣତ ହେବା ବେଳେ ଭିତରେ ଥର୍ମାଲ ସିଲ୍ଡ ଯୋଗୁଁ ତାପମାତ୍ରା ୨୫ ଡିଗ୍ରି ସେଲସିଅସ୍ ରହିବେ। ଏହି ପ୍ରକ୍ରିୟାକୁ ମହାକାଶଚାରୀ କ୍ୟାପସୁଲ୍ ଭିତରୁ ଦେଖି ପାରିବେ। ଏହି କ୍ୟାପସୁଲ୍ ୯୦ ମିନିଟ୍ ମଧ୍ୟରେ ପୃଥିବୀ ପରିକ୍ରମା କରିବ ଓ ୨୪ ଘଣ୍ଟା ମଧ୍ୟରେ ମହାକାଶଚାରୀ ୨ ଥର ମହାକାଶରୁ ଭାରତକୁ ଦେଖିପାରିବେ। ଏହି କ୍ୟାପସୁଲ୍ ମହାକାଶକୁ ଯିବା ଲାଗି ୧୬ ମିନିଟ୍ ସମୟ ନେବ ଏବଂ ପୃଥିବୀ ପୃଷ୍ଠକୁ ଫେରିବା ଲାଗି ନେବ ୩୬ ମିନିଟ୍।