୨୦୨୧ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ମିଶନ ଗଗନୟାନ ! ଜୋରଦାର ପ୍ରସ୍ତୁତି କରୁଛି ଇସ୍ରୋ, ସତ ହେବ ଭାରତର ମହାକାଶଚାରୀ ପଠାଇବା ସ୍ୱପ୍ନ ।

79

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମିଶନ ଗଗନୟାନକୁ ସଫଳ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ଗଗନୟାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମହାକାଶକୁ ମହାକାଶଚାରୀ ପ୍ରେରଣ କରିବାର ସ୍ୱପ୍ନ ସାକାର ହେବ । ତେବେ ଗଗନୟାନ ଜରିଆରେ ହିଁ ମହାକାଶଚାରୀ ମହାକାଶକୁ ଯିବେ ଏବଂ ଫେରିବେ । ଏଥିପାଇଁ ଏକ ନୂଆ ସେଂଟର ମଧ୍ୟ ସ୍ଥାପନ କରାଯାଇଛି । ଏହି ବର୍ଷ ଗଗନୟାନ ପାଇଁ ସ୍ୱତନ୍ତ୍ର ବର୍ଷ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ସିବନ କହିଛନ୍ତି ।

୨୦୨୦ ଡିସେମ୍ବରରେ ପ୍ରଥମ ମିଶନ ଏବଂ ୨୦୨୧ ଜୁଲାଇରେ ଦ୍ୱିତୀୟ ମିଶନ ସଫଳ ହେବା ପରେ ହିଁ ୨୦୨୧ ଡିସେମ୍ବରରେ ଗଗନୟାନ ମିଶନ କାର୍ଯ୍ୟକ୍ଷମ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଗଗନୟାନ ପାଇଁ ଭାରତରେ ଦେବାକୁ ଥିବା ତାଲିମ ଶେଷ ହୋଇଛି ।

ତେବେ ମହାକାଶଚାରୀ ମାନେ ପରବର୍ତୀ ତାଲିମ ଋଷିଆରେ ନେବେ । ଏଥିରେ ଜଣେ ମହିଳା ମହାକାଶ ଚାରୀଙ୍କୁ ମଧ୍ୟ ପଠାଯିବା ପାଇଁ ଇସ୍ରୋ ଚିନ୍ତା କରୁଛି । ତେବେ ଏହା ତାଲିମ ଉପରେ ନିର୍ଭର କରୁଛି ଏବଂ ଏବେ ଉଭୟ ପୁରୁଷ ଓ ମହିଳା ମହାକାଶଚାରୀଙ୍କୁ ତାଲିମ ଦିଆଯାଉଛି ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି । ଏହି ପ୍ରକଳ୍ପ ସଫଳ ହେଲେ ମହାକାଶକୁ ସ୍ୱାଧିନ ଭାବେ ମାନବ ପ୍ରେରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମାନ୍ୟତା ଲାଭ କରିବ ।