ସାଂଘାତିକ ରୂପ ନେଉଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ : ଗାଜାରେ ଇସ୍ରାଏଲ ସେନା; ଲୋକେ ଗାଜା ଛାଡିବା ପରେ କରିବ ଆକ୍ରମଣ

220

କନକ ବ୍ୟୁରୋ : ଗାଜା ଭିତରେ ଧିରେ ଧିରେ ପ୍ରବେଶ କରୁଛନ୍ତି ଇସ୍ରାଏଲ ସେନା । ଗାଜାରୁ ସାଧାରଣ ଲୋକ ଖାଲି ହେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଲୋକ ଖାଲି ହେବା ପରେ ଆକ୍ରମଣ ପାଇଁ ଯୋଜନା କରିଛି ଇସ୍ରାଏଲ । ଏଥିପାଇଁ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏହାରି ଭିତରେ ଭୟରେ ଲୋକେ ଗାଜା ଛାଡୁଥିବାର ଚିତ୍ର ସାମ୍ନାକୁ ଆସିଛି । ଉତ୍ତର ଗାଜାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେତାବନୀ ପରେ ଏବେ ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହୋଇଛନ୍ତି ଲୋକେ ।

ଗାଜାବାସୀ ମୃତ୍ୟୁ ଭୟରେ ନିଜର ଭିଟା ମାଟି ଛାଡ଼ି ଅନ୍ୟତ୍ର ବିସ୍ଥାପିତ ହେଉଛନ୍ତି । ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ପାଖାପାଖି ୧୧ ଲକ୍ଷ ଲୋକ ଏବେ ବିସ୍ଥାପିତ ହେଉଛନ୍ତି । ଇସ୍ରାଏଲ ଦାବି କରିଛି ଯେ ଆକ୍ରମଣରେ ଆତଙ୍କୀ ସଂଗଠନ ଗାଜାର ମୁଖ୍ୟର ନିହତ ହୋଇଛି । ଶେଷ ଖବର ସୁଦ୍ଧା ଗାଜାରେ ୨,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗାଜାରେ ସ୍ଥିତି ଏବେ ଭୟଙ୍କର ଥିବା ନେଇ ଜାତିସଂଘ ପକ୍ଷରୁ କୁହାଯାଇଛି । ହମାସ ଆତଙ୍କବାଦୀମାନେ ଟନେଲ ଭିତରେ ଲୁଚି ରହିଥିବାରୁ ବୁଲଡୋଜର ନେଇ ବଙ୍କର ତାଡିବାକୁ ଯୋଜନା କରିଛି ଇସ୍ରାଏଲ । ଗାଜାରେ ଏଭଳି ସ୍ଥିତି ପାଇଁ ହମାସ ଦାୟୀ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।

ଆମେରିକା ମଧ୍ୟ ଇସ୍ରାଏଲକୁ ସମର୍ଥନ ଜଣାଇବା ମିଲିଟାରି ସହାୟତା ପ୍ରଦାନ କରିଛି । ହମାସ ବିରୋଧରେ ଇସ୍ରାଏଲର ଅଭିଯାନ ଆରମ୍ଭ ମାତ୍ର ବୋଲି କହି ଚେତାବନୀ ଦେବା ସହ ଏହାକୁ ଇସଲାମିକ୍ ଷ୍ଟେଟ୍ ସହ ତୁଳନା କରିଛନ୍ତି । ଇସ୍ରାଏଲର ସାମରିକ ଅଭିଯାନର ପରିସର ବୃଦ୍ଧି ପାଇଛି । ଗାଜା ଉପତ୍ୟକାର ଚାରିଆଡେ ସେନା ମୁତୟନ ହେବା ଫଳରେ ଅତିରିକ୍ତ ଯୁଦ୍ଧ ଅଭିଯାନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।