କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାସଂଘର୍ଷ । ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ‘ହମାସ’ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ରଣକ୍ଷେତ୍ର ପାଲଟିଛି ଗାଜା, ଘନଘନ ହେଉଛି ମିଜାଇଲ୍, ତୋପ ଓ ରକେଟ୍ ମାଡ । ଏହାରି ଭିତରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ନେଇ ସାମ୍ନାକୁ ଆସିଛି ଏକ ବଡ ତଥ୍ୟ । କୁହାଯାଉଛି ଇସ୍ରାଏଲ ଉପରେ ଶନିବାର ହୋଇଥିବା ଭୟଙ୍କର ଆକ୍ରମଣ ପଛରେ ରହିଛି ଇରାନର ହାତ । ଗତ ସପ୍ତାହରେ ଲେବାନନର ରାଜଧାନୀ ବେରୁତରେ ଇରାନ ସେନାଅଧିକାରୀ ଏବଂ ‘ହମାସ’ ମଧ୍ୟରେ ବସିଥିବା ଗୁପ୍ତ ବୈଠକରେ ହିଁ ଇସ୍ରାଏଲକୁ ଚାରିପଟୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହେଉଛି । ଇସ୍ରାଏଲ ଉପରେ ଆକ୍ରମଣର ଏହି ଯୋଜନା ଏବେକାର ନୁହେଁ, ବରଂ ଅଗଷ୍ଟ ମାସରୁ ହିଁ ଏହାର ମୂଳଦୁଆ ପଡିଥିଲା । ଇରାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ହୁସେନ ଅମିର-ଅଦ୍ଦୋଲାହିଆନ ଏବଂ ସେନା ଅଧିକାରୀ ମାନେ ‘ହମାସ’ ସହିତ ଯୋଗାଯୋଗରେ ରହିଥିଲେ । ସ୍ଥଳ, ଆକାଶ ଓ ସମୁଦ୍ର ପଥରେ ଇସ୍ରାଏଲକୁ ଚାରିପଟୁ ଆକ୍ରମଣ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

Advertisment

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇରାନ ପକ୍ଷରୁ ଇସଲାମିକ୍ ରାଷ୍ଟ୍ରମାନଙ୍କୁ ନେଇ ଜରୁରୀ ବୈଠକ ଡକାଯାଇଛି । ଆଂଚଳିକ ପରିସ୍ଥିତି ନେଇ ଏହି ବୈଠକ ଡକାଯାଇଥିବା କୁହାଯାଉଥିଲେ ମଧ୍ୟ ଓଆଇସିର ଏହି ବୈଠକରେ ଇସ୍ରାଏଲ ବିରୋଧରେ ସଂକଳ୍ପ ପାରିତ ହେବା ନେଇ ଚର୍ଚ୍ଚା ହେଉଛି । ଇରାନ ସମେତ କତାର, ଲେବାନନ୍, ସିରିଆ, ୟେମେନ୍, ସାଉଦି ଆରବ ଭଳି ଅନେକ ମୁସଲିମ୍ ବହୁଳ ଦେଶ ହମାସକୁ ଖୋଲାଖୋଲି ସମର୍ଥନ ଘୋଷଣା କରିଛନ୍ତି । ସେପଟେ ଇସ୍ରାଏଲ ଉପରେ ହମାସ ଆତଙ୍କୀଙ୍କ ଟାର୍ଗେଟକୁ ପାଶ୍ଚାତ୍ୟ ଦେଶ ମାନଙ୍କ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ, ଇଟାଲି ମିଳିତ ଭାବେ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଏଥିସହ ଅନ୍ୟ ସମସ୍ତ ରାଷ୍ଟ୍ରକୁ ମଧ୍ୟ ଆକ୍ରମଣକୁ ନିନ୍ଦା କରିବାକୁ ଆହ୍ୱାନ କରାଯାଇଛି । ଭାରତ ମଧ୍ୟ ଇସ୍ରାଏଲ ସପକ୍ଷରେ ନିଜର ସମର୍ଥନ ଘୋଷଣା କରିଛି । ହମାସ ଆତଙ୍କୀ ମାନଙ୍କ ନରସଂହାରକୁ ନିନ୍ଦା କରିବା ସହ ଇସ୍ରାଏଲ ନାଗରିକଙ୍କ ସହ ଭାରତ ସବୁବେଳେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ‘ଏକ୍ସ’ ଆକାଉଂଟରେ ଉଲ୍ଲେଖ କରିଛନ୍ତି ।

ଗୁଇନ୍ଦାଗିରି ପାଇଁ ବିଶ୍ୱର ଏକ ନମ୍ବର ଦେଶ ଭାବେ ଜଣା ଯାଉଥିବା ଇସ୍ରାଏଲ କେମିତି ହମାସ ଆତଙ୍କବାଦୀଙ୍କ ଏତେବଡ ଯୋଜନା ସମ୍ପର୍କରେ ଜାଣି ପାରିଲେ ନାହିଁ, ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଅନ୍ୟ ଦେଶର ଶକ୍ତି ଓ ଯୁଦ୍ଧକୁ ନେଇ ସବୁ ତଥ୍ୟ ହାତେଇବା ପାଇଁ ଇସ୍ରାଏଲ ପାଖରେ ରହିଛି ଅତ୍ୟାଧୁନିକ ଜ୍ଞାନ କୌଶଳ । ତଥାପି ହମାସ ଆତଙ୍କବାଦୀ ଆକ୍ରମଣର ସୁରାକ କିପରି ପାଇଲା ନାହିଁ ଏହାକୁ ନେଇ ବଡ ପ୍ରଶ୍ନ ଉଠିଛି । କୁହାଯାଉଛି ଅନ୍ୟ ଇସଲାମିକ୍ ରାଷ୍ଟ୍ର ଉପରେ ନଜର ରଖିବାରେ ଇସ୍ରାଏଲ ସେନା ଏତେ ବ୍ୟସ୍ତ ରହିଯାଇଥିଲା ଯେ, ପାଲେଷ୍ଟାଇନ୍ ଆଡକୁ ଧ୍ୟାନ ଦେଇ ନଥିଲା । ଆଉ ଏହାର ସୁଯୋଗ ନେଇଥିଲା ହମାସ ଆତଙ୍କବାଦୀ ଅନୁଷ୍ଠାନ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ ନେଇ ୨ ବର୍ଷ ଧରି ଯୋଜନା ଚଳାଇଥିଲା ହମାସ ।

ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷ ଓ ଚୀନ୍ ଯୁଦ୍ଧକୁ ନେଇ ନିଜର ବୟାନ ଜାରି କରିଛନ୍ତି । ଆମେରିକା ଯୁଦ୍ଧ ପରିସ୍ଥିତିକୁ ସମାଧାନ କରିବା ପରିବର୍ତେ ଜଟିଳ କରୁଥିବା ରୁଷ ବୈଦେଶିକ ମନ୍ତ୍ରୀ ଅଭିଯୋଗ କରିଛନ୍ତି । ସେପଟେ ଚୀନ ଶାନ୍ତି ବଜାୟ ରଖିବାକୁ ଉଭୟ ଇସ୍ରାଏଲ ଓ ହମାସକୁ ଅପିଲ କରିଛି ।