ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ବିମାନ ଆକ୍ରମଣ । ପ୍ରାଣ ହରାଇଲେ ଗୋଟିଏ ପାଲେଷ୍ଟାଇନ ପରିବାରର ସବୁ ସଦସ୍ୟ ।

424

କନକ ବ୍ୟୁରୋ : ଗାଜା ସହର ଉପରେ ଇସ୍ରାଏଲର ପ୍ରବଳ ବୋମାମାଡ଼ ଜାରି ରହିଛି । ଏହା ଫଳରେ ଗାଜା ସହରର ବ୍ୟାପକ କ୍ଷତି ହେବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଇସ୍ରାଏଲର ବୋମାମାଡ଼ ଫଳରେ ଗାଜାରେ ରହୁଥିବା ଏକ ପାଲେଷ୍ଟାନୀୟ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି ।  ଗୋଟିଏ ଘରେ ଏହି ପରିବାରର ସମସ୍ତ ୬ ଜଣ ସଦସ୍ୟ ରହୁଥିବାବେଳେ ଇସ୍ରାଏଲ ବିମାନ ଆକ୍ରମଣରେ ସମସ୍ତେ ପ୍ରାଣ ହରାଇଛନ୍ତି । ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପାଲେଷ୍ଟାଇନ ଲୋକମାନେ ପଳାୟନ ଜାରି ରଖିଛନ୍ତି ।

ଗାଜା ସହର ଉପରେ ହମାସର ନିୟନ୍ତ୍ରଣ ଥିବାବେଳେ ଇସ୍ରାଏଲ ପ୍ରବଳ ଆକ୍ରମଣ କରି ହମାସର ଆଡ୍ଡାଗୁଡ଼ିକୁ ଧ୍ବଂସ କରିଦେଇଛି । ସେହିପରି ହମାସ ପକ୍ଷରୁ ଇସ୍ରାଏଲର ରାଜଧାନୀ ଜେରୁଜେଲମ, ତେଲ ଅଭିଭ ଉପରେ ପ୍ରାୟ ୧୫୦୦ରୁ ଅଧିକ ରକେଟ ମାଡ଼ କରାଯ଼ାଇଛି । ତେବେ ଏସବୁ ରକେଟ ମଧ୍ୟରୁ ଅଧିକାଂଶ ରକେଟକୁ ଇସ୍ରାଏଲର ବାୟୁ ସୁରକ୍ଷାପ୍ରଣାଳୀ ଆଇରନ ଡୋମ ନଷ୍ଟ କରିଦେଇଛି । ଅନ୍ୟପକ୍ଷରେ ହମାସର ରକେଟ ମାଡ଼ ଜବାବରେ ଇସ୍ରାଏଲ ପକ୍ଷରୁ ପ୍ରାୟ ୬୦୦ ଥର ବିମାନ ଆକ୍ରମଣ କରାଯ଼ାଇଛି ।