ଆଜ୍ଞା ହଁ , ଠିକ ଶୁଣିଛନ୍ତି । ହମାସ ଆତଙ୍କବାଦୀମାନଙ୍କୁ ପାଣିରେ ବୁଡେଇ ବୁଡେଇ ମାରିବାର ପ୍ଲାନ ତିଆରି କରୁଛି ଇସ୍ରାଏଲ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି । ବଡ଼ ବଡ଼ ପାଣି ପମ୍ପ ସବୁ ଗାଜା ପାଖରେ ଗଦେଇ ଚାଲିଛି ଇସ୍ରାଏଲ ସେନା ।
ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ୍ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ଯାହା ଅନୁଯାୟୀ ଇସ୍ରାଏଲ୍ ସେନା ଗାଜାରେ ଥିବା ଟନେଲଗୁଡିକୁ ପାଣିରେ ଭର୍ତ୍ତି କରି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିବ । ଯେଉଁ କାରଣରୁ ଟନେଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ବାହାରକୁ ଆସିବାକୁ ବାଧ୍ୟ ହେବେ। କୁହାଯାଉଛି ଯେ ସେନା ଏଥିପାଇଁ ବଡ ବଡ଼ ପମ୍ପ ଲଗାଇବାରେ ଲାଗିଛି ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ହେଉନାହିଁ । ଗାଜାରେ ଲଗାତାର ଆକ୍ରମଣ କରି ଇସ୍ରାଏଲ୍ କ୍ରମାଗତ ଭାବେ ହମାସର ଆଡ୍ଡା ସବୁକୁ ଖୋଜି ଖୋଜି ନଷ୍ଟ ନଷ୍ଟ କରୁଛି । ଏହି ସମୟରେ, ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (WSJ) ର ଏକ ରିପୋର୍ଟରେ କୁହାଯାଇଛି ଯେ ଗାଜା ଷ୍ଟ୍ରିପରେ ହମାସର ଟନେଲର ନେଟୱାର୍କକୁ ଇସ୍ରାଏଲ୍ ପାଣି ଭର୍ତ୍ତି କରି ବନ୍ୟା ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କରୁଛି ଏବଂ ଏଥିପାଇଁ ଗାଜାରେ ବଡ଼ ବଡ଼ ପମ୍ପ ଏକାଠି କରିବାରେ ଲାଗିଛି ।
ଇସ୍ରାଏଲର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ହମାସର ଆତଙ୍କବାଦୀମାନଙ୍କୁ ଭୂତଳ ଟନେଲର ନେଟୱାର୍କ ଭିତରୁ ବାହାର କରିବା । ଏହାଦ୍ବାରା ଗାଜାର ଜଳକଷ୍ଟ ବି କିଛି ପରିମାଣରେ ଦୂର ହେଇପାରିବ ବୋଲି କୁହାଯାଉଛି । ଏଥିପାଇଁ ଇସ୍ରାଏଲ୍ ଭୂମଧ୍ୟସାଗରରୁ ପାଣିକୁ ପମ୍ପ ଦ୍ଵାରା ଉଠାଇ ଗାଜା ଷ୍ଟ୍ରିପରେ ଥିବା ହମାସର ଟନେଲଗୁଡ଼ିକୁ ଭର୍ତ୍ତି କରିବାକୁ ଯୋଜନା କରୁଛି । ଏଥିପାଇଁ ଇସ୍ରାଏଲ୍ ସେନା ଏକ ଯୋଜନା ପ୍ରସ୍ତୁତ କରିଛି, ଯାହା ଅନୁଯାୟୀ ଏହା ଟନେଲଗୁଡ଼ିକୁ ସମୁଦ୍ର ଜଳରେ ପୂର୍ଣ୍ଣ କରିବ । ଯାହାଦ୍ବାରା ଆତଙ୍କବାଦୀମାନେ ସୁଡ଼ଙ୍ଗରୁ ବାହାରିବାକୁ ବାଧ୍ୟ ହେବେ ।
ହମାସକୁ ଶେଷ କରିବାକୁ ନୂଆ ପ୍ଲାନ
ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ ସରକାରୀ କର୍ମଚାରୀମାନେ ଏହି ବନ୍ୟା ଯୋଜନାରେ ସହମତ ହୋଇଛନ୍ତି । ଏଥିପାଇଁ ଇସ୍ରାଏଲ୍ ସେନା ଅନେକ ଇଞ୍ଜିନିୟରିଂ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ କରୁଛି । ଏହା କୁହାଯାଉଛି ଯେ ବିଭିନ୍ନ ସାମରିକ ଏବଂ ବୈଷୟିକ ଉପକରଣ ବ୍ୟବହାର କରି ବିଭିନ୍ନ ଉପାୟରେ ହମାସର ଆତଙ୍କବାଦୀଙ୍କୁ କ୍ଷମତାରୁ ହଟାଇବା ପାଇଁ ଆଇଡିଏଫ୍ କାର୍ଯ୍ୟ କରୁଛି ।
ସୁଡଙ୍ଗ ଗୁଡିକ ପାଣିରେ ଭର୍ତ୍ତି ହେଇଯିବ
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ ଗାଜା ସହରର ଶରଣାର୍ଥୀ କ୍ୟାମ୍ପ ନିକଟରେ ଇସ୍ରାଏଲ୍ ସେନା ପମ୍ପ ଲଗାଇଛି । କୁହାଯାଉଛି ଯେ ଏହି ପମ୍ପଗୁଡ଼ିକ ପ୍ରତି ଘଣ୍ଟାରେ ହଜାରେ ଘନ ମିଟର ପାଣି ପମ୍ପ କରିପାରିବେ ଯାହା ଟନେଲରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ । ଯାହାଦ୍ବାରା ସୁଡ଼ଙ୍ଗରେ ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ବାହାରକୁ ଆସିବାକୁ ବାଧ୍ୟ ହେବେ ।
ଗାଜାରେ ଇସ୍ରାଏଲ ଆକ୍ରମଣ ଜାରିରହିଛି
ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ୍ କ୍ରମାଗତ ଭାବରେ ହମାସର ଆଡ୍ଡାକୁ ଖୋଜି ଖୋଜି ନଷ୍ଟ କରୁଛି । ଇସ୍ରାଏଲ ସେନା ଗାଜା ଉପରେ ବୋମାବର୍ଷଣ କରି ଚାଲିଛନ୍ତି । ଏହି ଅବଧି ମଧ୍ୟରେ, ହମାସର ବହୁ ବରିଷ୍ଠ କମାଣ୍ଡୋ ନିହତ ହୋଇଥିବାବେଳେ ୧୫୦୦୦ ରୁ ଅଧିକ ନିରୀହ ଲୋକ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହି ଅବଧି ମଧ୍ୟରେ ଉଭୟଙ୍କ ମଧ୍ୟରେ କିଛି ଦିନ ପାଇଁ ଅସ୍ତ୍ରବିରତି ହୋଇଥିଲା ଯେଉଁଥିରେ ଉଭୟ ପକ୍ଷରୁ କିଛିକିଛି ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା । ୧୩୮ ଜଣ ବନ୍ଧକ ଏବେ ମଧ୍ୟ ହମାସଙ୍କ କବଜାରେ ଅଛନ୍ତି । ଅସ୍ତ୍ରବିରତି ମିଆଦ ପୁରିଲା ପରେ ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ବୋମା ପକାଇବା ଆରମ୍ଭ କରି ହମାସର ବେସକୁ ଧ୍ୱଂସ କରୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହମାସ ଧ୍ୱଂସ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ।