ମଧ୍ୟପ୍ରାଚ୍ୟରେ ଘନେଇଲା ଆଉ ଏକ ଯୁଦ୍ଧ ଆଶଙ୍କା । ଇସ୍ରାଏଲର ଆକ୍ରମଣ ପରେ ସମସ୍ତ ବାୟୁସେବା ବନ୍ଦ କଲା ଇରାନ । ଚିନ୍ତାରେ ବିଶ୍ୱ ।

153

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ପୁଣି ଘନେଇଛି ଆଉ ଏକ ଯୁଦ୍ଧ ଆଶଙ୍କା । ମଝି ରାତିରେ ଇରାନ ଉପରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇରାନର ଇସଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ ମାଡ଼ କରିଥିବା ଜଣାପଡିଛି । ବୋମା,ମିସାଇଲ ମାଡ଼ ସହ ବିସ୍ଫୋରଣ ଶଦ୍ଧରେ ଥରହର ହୋଇଛି ୩ ସହର । ଏଥିସହ ଇରାନର ପ୍ରମୁଖ ବିମାନବନ୍ଦରରେ ମଧ୍ୟ ମିସାଇଲ ମାଡ ହୋଇଥିବା ସୂଚନା ରହିଛି । ସ୍ଥିତିକୁ ଦେଖି ଇରାନ ନିଜର ସମସ୍ତ ବିମାନଉଡାଣ ବନ୍ଦ କରିଛି । ଇସ୍ରାଏଲର ଆକ୍ରମଣକୁ ପ୍ରତିହତ କରିବାକୁ ଇରାନ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ସକ୍ରିୟ କରିଥିବା ସୂଚନା ମିଳିଛି । ମହାସଙ୍କଟ ଆଶଙ୍କା ଦେଇ ମଧ୍ୟପ୍ରାଚ୍ୟ ଗତି କରୁଥିବାବେଳେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆକ୍ରମଣ ପ୍ରସଙ୍ଗ ଉଠିଛି । ଇରାନ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଇସ୍ରାଏଲ ଦାବି କରୁଛି । ଅନ୍ୟପଟେ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଛି ଯଦି ଆକ୍ରମଣ ହୁଏ ତେବେ ଏହାର ପରିଣାମ ଭୟଙ୍କର ହେବ ।

ତେବେ ନିକଟରେ ସିରିଆ ସ୍ଥିତ ଇରାନ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିବା ଇରାନ ଅଭିଯୋଗ କରିଥିଲା । ଇସ୍ରାଏଲର ମିସାଇଲ ଓ ରକେଟ ମାଡରେ ଇରାନ ସେନାର କିଛି ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ରକ୍ତମୁଖା ଇରାନ ପାଲଟା ଜବାବ ଦେଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏପ୍ରିଲ ୧୪ରେ ୩ଶହରୁ ଅଧିକ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ୧୮ ତାରିଖ ରାତିରେ ଇରାନର ୩ଟି ସହରରେ ମିସାଇଲ ମାଡ଼ କରିଥିବା ଜଣାପଡିଛି ।

ଗୋଟେ ପଟେ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଅନ୍ୟପଟେ ଗାଜାରେ ହମାସକୁ ଟାର୍ଗେଟ କରି ନରସଂହାର କରୁଛି ଇସ୍ରାଏଲ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଆଶଙ୍କା କରୁଛନ୍ତି ଯେ ଇସ୍ରାଏଲ-ଇରାନ ଯୁଦ୍ଧ କେବଳ ମଧ୍ୟପ୍ରାଚ୍ୟ ନୁହେଁ ବଂର ସମଗ୍ର ଆରବ କ୍ଷେତ୍ରର ପାଇଁ ବଡ ବିପଦ ଆଣିବ । ଗୋଟେ ପଟେ ଇସ୍ରାଏଲ ହମାସକୁ ଟାର୍ଗେଟ କରି ପାଲେଷ୍ଟାଇନ ଉପରେ ଆକ୍ରମଣ ଜାରି ରଖିଛି । ଏହା ଭିତରେ ଇରାନ ସହ ତିକ୍ତତା ଘନେଇବା ଯୋଗୁଁ ଚିନ୍ତାରେ ସାରା ବିଶ୍ୱ ।