କନକ ବ୍ୟୁରୋ : ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଇସ୍ରାଏଲ ଗାଜା ଷ୍ଟ୍ରିପ୍ ଉପରେ ବୋମା ମାଡ଼ କରୁଥିବା ବେଳେ ଏବେ ସିରିଆର ଦୁଇଟି ବିମାନ ବନ୍ଦରକୁ ମଧ୍ୟ ଟାର୍ଗେଟ୍ କରିଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ସେନା, ହମାସର ଠିକଣା ଉପରେ ପ୍ରାୟ ୬ ହଜାର ବୋମା ପକାଇ ସାରିଛି । ସେପଟେ ଇସ୍ରାଏଲକୁ ଚେତାବନୀ ଦେଇଛି ହମାସ । ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ କିଛି ବଡ଼ ଯୋଜନା କରିଛି ହମାସ ।

Advertisment

ଅପରେସନ୍ ଅଲ୍-ଅକ୍ସା ପରେ ହମାସ ପକ୍ଷରୁ ଏବେ ଫ୍ରାଇଡେ ଅଲ୍-ଅକ୍ସା ଅପରେସନ୍ ଘୋଷଣା କରାଯାଇଛି । ହମାସର ଆକ୍ରମଣକାରୀମାନେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ କୁହାଯାଇଛି, ଗାଜାରେ ଶିଶୁ ଓ ମହିଳାଙ୍କ ହତ୍ୟାର ପ୍ରତିଶୋଧ ଇସ୍ରାଏଲ ନେବା ପରେ ହମାସ ଶୁକ୍ରବାର ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛି । ଆମେ ଶୁକ୍ରବାର ଏଭଳି ପ୍ରତିଶୋଧ ନେବୁ, ଯାହା ଇସ୍ରାଏଲ ସ୍ୱପ୍ନରେ ଭାବିନଥିବ । ଇସ୍ରାଏଲକୁ ଧ୍ୱଂସ କରିବା ଏବଂ ଅଲ୍-ଅକସା ମସଜିଦ ଉପରେ ଏହାର ବେଆଇନ ଦଖଲକୁ ଶେଷ କରିବା ପାଇଁ ୧୫ ସୂତ୍ରୀ ଯୋଜନା କରିଛୁ ବୋଲି ହମାସ କହିଛି । ହମାସର ଏହି ଧମକ ପରେ ଆଲର୍ଟ ମୋଡରେ ରହିଛି ଇସ୍ରାଏଲ ।

ସେପଟେ, ଏକ ବିବୃତି ଜାରି କରି ନେତାନ୍ୟାହୁ କହିଛନ୍ତି, ପ୍ରତିଟି ହମାସ୍‌ ଆତଙ୍କବାଦୀ ହେଉଛନ୍ତି ଜଣେ ଜଣେ ମୃତ ବ୍ୟକ୍ତି । ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟ୍‌ ମଧ୍ୟ ହମାସକୁ ଧ୍ବଂସ କରିବାର ପ୍ରତିଜ୍ଞା କରିଛନ୍ତି। ଗାଣ୍ଟ୍‌ କହିଛନ୍ତି, ଯୁଦ୍ଧ ଏବଂ ଶାନ୍ତିର ଏକ ସମୟ ଥାଏ ଏବଂ ଏବେ ଏହା ଯୁଦ୍ଧର ସମୟ । ଗାଲ୍ଲାଣ୍ଟ କହିଛନ୍ତି, ଆମେ‌ ସେମାନଙ୍କୁ ପୃଥିବୀ ପୃଷ୍ଠରୁ ପୋଛିଦେବୁ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ , ଗାଲ୍ଲାଣ୍ଟ ଏବଂ ଗାଣ୍ଟ୍‌ଙ୍କ ଏଭଳି କଡ଼ା ଟିପ୍ପଣୀରୁ ଏହା ଜଣାପଡ଼ୁଛି ଯେ ସେମାନେ ଯୁଦ୍ଧର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି । ଗାଜାରେ ପଶି ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବ ବୋଲି ଉକ୍ତ ୩ ବରିଷ୍ଠ ନେତାଙ୍କ କଥା‌ରୁ ସ୍ପଷ୍ଟ ‌ହୋଇଯାଉଛି । ଉଲ୍ଲେଖଯୋଗ୍ୟ. ହମାସ ଆତଙ୍କବାଦୀମା‌ନେ ଶତାଧିକ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ ରଖିବା ସହ ମହିଳା ଏବଂ ଶିଶୁ ମାନଙ୍କୁ ଅତି ନିର୍ମମ ହତ୍ୟା କରୁଛନ୍ତି । ଶିଶୁମାନଙ୍କୁ ମୁଣ୍ଡକାଟି ହତ୍ୟା କରିବା ଘଟଣାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି ।