ଅକ୍ଟୋବର ୭ ରେ ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣରେ ୧୪୦୦  ଜଣଙ୍କୁ ହତ୍ୟା କରିଥିବା ହମାସର ‘କଂସେଇ’ ୟାହିୟା ସିନୱାର ବର୍ତ୍ତମାନ ନିଜ ଜୀବନ ବଞ୍ଚାଇବା ପାଇଁ ଗାଜାର ଟନେଲ ଭିତରେ ଲୁଚି ରହିଛି । ଇସ୍ରାଏଲ ସେନାର ପ୍ରତି ଆକ୍ରମଣ ପରେ ଏବେ ହମାସର ସ୍ବର ନରମ ପଡ଼ିଗଲାଣି । ଆଗରୁ ଯେମିତି ତୋଡ ଦେଖେଇ କହୁଥିଲା ଏବେ ସେ ସ୍ବର ଆଉ ଶୁଭୁନାହିଁ । ଏବେ ଯୁଦ୍ଧ ବଦଳରେ ଅସ୍ତ୍ରବିରତି ପ୍ରସ୍ତାବ ଦେବା ଆରମ୍ଭ କଲାଣି ହମାସ ।

Advertisment

ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ କରିଥିବା ହମାସର ଆକ୍ରମଣ ହଠାତ୍ ହୋଇନଥିଲା । ଏଥିପାଇଁ ଦୁଇ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଆକ୍ରମଣ ଯୋଜନାର ମୁଖ୍ୟ କାର୍ପଟଦାର ଥିଲା ୟାହିୟା ସିନୱାର । ଯୋଜନା ଅନୁସାରେ ନିଜର ବିବୃତ୍ତି ମାଧ୍ୟମରେ ଇସ୍ରାଏଲର ଅଧିକାରୀ ଏବଂ ନେତାମାନଙ୍କୁ ଆଶ୍ୱାସନା ଦେଇଥିଲା କି ଯେ ସେ ଆଉ ରକ୍ତପାତ ଚାହୁଁନାହିଁ ।   ବରଂ ଆର୍ଥିକ ବିକାଶ ପଥ ଅନୁସରଣ କରି ଗାଜାକୁ ଦୁବାଇ କିମ୍ବା ସିଙ୍ଗାପୁର ଭଳି ସମୃଦ୍ଧ କରିବାକୁ ଚାହୁଁଛି ।

ଆତଙ୍କବାଦୀ କଥାରେ ଫସିଗଲା ଇସ୍ରାଏଲ 

ଧିରେ ଧିରେ ଇସ୍ରାଏଲ୍ ଏହି ପ୍ରତାରଣାରେ ଫସି ରହିଲା ଏବଂ ସୁଯୋଗ ପାଇବା ମାତ୍ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କଲେ ଏବଂ ଏହାର ୧୪୦୦  ଲୋକଙ୍କୁ ହତ୍ୟା କଲେ ଏବଂ ୨୫୦  ରୁ ଅଧିକ ଲୋକଙ୍କୁ ବନ୍ଧକ କରି ଉଠାଇନେଲେ । ବର୍ତ୍ତମାନ ଇସ୍ରାଏଲ୍ ଗାଜାକୁ ଏକ କବରସ୍ଥାନରେ ପରିଣତ କରୁଛି ଏବଂ ଏହାର ଶତ୍ରୁ ନମ୍ବର ୧ ୟାହିୟା ସିନୱାର ଖୋଜିବାକୁ ଚେଷ୍ଟା କରୁଛି, ଯିଏ ଗାଜାର କୋଉ ଟନେଲରେ ହିଟଲର ପରି ଲୁଚି ରହିଛି ।

ବହୁତ ତୀକ୍ଷଣ ବୁଦ୍ଧି ବାଲା ହମାସର ଏଇ ନେତା

ରିପୋର୍ଟ ଅନୁଯାୟୀ ୟାହିୟା ସିନୱାର ଖୁବ କମ କଥା କୁହେ ଏବଂ ବହୁତ ବୁଦ୍ଧି ଖର୍ଚ୍ଚ କରେ ।  ସେ ଦେଖିଲେ  ତା କଥାରେ ବିଶ୍ବାସ କରି ଇସ୍ରାଏଲ୍ ପାଲେଷ୍ଟାଇନରୁ ନଜର ହଟେଇ ସିରିଆ ଏବଂ ଇରାନ ଉପରେ ଧ୍ୟାନ ଦେଉଛି । ଏଥିସହିତ ଏହା ଗାଜା ସୀମାରୁ ଅଧିକାଂଶ ସୈନ୍ୟଙ୍କୁ ହଟାଇ ୱେଷ୍ଟବ୍ଯାଙ୍କରେ ଥିବା ଇସ୍ରାଏଲ୍ ବସ୍ତିର ସୁରକ୍ଷା ପାଇଁ ସେମାନଙ୍କୁ ନିୟୋଜିତ କରିଛି ସେତେବେଳେ ସିଏ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ସୁଯୋଗ ପାଇଗଲା ।

ଯୋଜନା ଅନୁସାରେ ଲୋକଙ୍କୁ ଇସ୍ରାଏଲ ପଠେଇଥିଲା

ଏହି ଯୋଜନା ଅନୁସାରେ ସେ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ଇସ୍ରାଏଲ୍କୁ ଏକ ବାର୍ତ୍ତା ପଠାଇଥିଲା ଯେ ଗାଜାରେ ବେକାରୀ ସମସ୍ୟା ଦୂର କରିବା ପାଇଁ ୧୮ ହଜାର ୱାର୍କ ପରମିଟ ଦରକାର । ଇସ୍ରାଏଲ ତାର ଏହି ଚାଲରେ ଫସି ଯାଇଥିଲା । ଏବଂ ବହୁ ସଂଖ୍ୟକ ଗାଜାବାସୀଙ୍କୁ ୱାର୍କ ପରମିଟ ଜାରି କରିଥିଲା । ଯାହା ତାଙ୍କ ପାଇଁ ପରେ କାଳ ସାବ୍ୟସ୍ତ ହେଇଥିଲା ।  ସେହି ଲୋକମାନେ  ଇସ୍ରାଏଲରେ ରହୁଥିବା ସମୟରେ ଛୋଟମୋଟ କାମ କରୁଥିଲେ । ସେମାନେ ସୀମାନ୍ତରେ ଥିବା ସମସ୍ତ ଗୁରୁତ୍ବପୁର୍ଣ ସ୍ଥାନର ଫଟୋ ଏବଂ ଭିଡିଓ କରି ହମାସକୁ ଦେଉଥିଲେ । ଏହା ବ୍ୟତୀତ ସେଠାରେ ଇସ୍ରାଏଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବିସ୍ତୃତ ଭାବରେ ଅଧ୍ୟୟନ କରି ହମାସକୁ ତଥ୍ୟ ଦେଇଥିଲେ ।  କେବଳ ଏତିକି ନୁହେଁ ସେମାନଙ୍କ ଦ୍ଵାରା ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ଇସ୍ରାଏଲ ପରିବାରର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ଆକ୍ରମଣ ପୂର୍ବରୁ ସମସ୍ତ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହ ବନ୍ଦ କରିଥିଲେ

ଏହା ପରେ ଇରାନ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର  ସଂଗ୍ରହ କରାଯାଇଥିଲା । ତା’ପରେ ୭ ଅକ୍ଟୋବର ପାଇଁ ଦିନ ସ୍ଥିର କରାଯାଇଥିଲା ଏବଂ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରାଯାଇଥିଲା । ଆକ୍ରମଣର ଅନେକ ସପ୍ତାହ ପୂର୍ବରୁ ଏହି ଯୋଜନାରେ ସାମିଲ ଥିବା ସମସ୍ତ ହମାସ ଆତଙ୍କବାଦୀ ମୋବାଇଲ୍ ଫୋନ୍, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର ବନ୍ଦ କରିଦେଇଥିଲେ ।  ଯେଉଁ କାରଣରୁ ଇସ୍ରାଏଲ୍ ଏଜେନ୍ସିମାନେ ଏହି ଆକ୍ରମଣର ସୂଚନା ପାଇପାରିନଥିଲେ ।

ଖାନ୍ ୟୁନିସରେ ଜନ୍ମଗ୍ରହଣ କରିଥିଲା ସିନୱାର

ୟାହିୟା ସିନୱାର ଦକ୍ଷିଣ ଗାଜାର ଖାନ ୟୁନିସ ସହରର ଏକ ଗରିବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲା ।  ସେ ୧୯୮୦ ଦଶକର ଶେଷ ଭାଗରେ ହାମାସର ସାମରିକ ୱିଙ୍ଗ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା । ଏହା ପରେ ସେ ଇସ୍ରାଏଲ ସହିତ ଗାଜାରେ କାର୍ଯ୍ୟ କରୁଥିବା ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ପାଲେଷ୍ଟାଇନ ଲିବରେସନ୍ ଅର୍ଗାନାଇଜେସନ୍ ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା । ସେ plo ର ୪ ଜଣ ସହଯୋଗୀଙ୍କୁ ହତ୍ୟା କରିଥିଲେ। ଏହି କାରଣରୁ ତାଙ୍କୁ ୧୯୮୯ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ ହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡ ନିଜେ କଟିଥିଲା ।

ଇସ୍ରାଏଲି ସୈନିକ ବଦଳରେ ମୁକ୍ତି ପାଇଥିଲା 

ବହୁଚର୍ଚ୍ଚିତ ଇସ୍ରାଏଲି ସୈନିକ ଗିଲାଦ ଶାଳିତର ଅପହରଣ ବଦଳରେ ଯେଉଁ ୧୦୦୦ ପାଲେଷ୍ଟାନିୟ ବନ୍ଦୀଙ୍କୁ ଇସ୍ରାଏଲ ମୁକ୍ତ କରିଥିଲା ତା ମଧ୍ୟରେ ସିନୱାର ଥିଲା । ୨୦୧୧ ରେ ମୁକ୍ତ ହେଲାପରେ ସେ ପୁଣି ହମାସରେ ଯୋଗ ଦେଇଥିଲା । ୨୦୧୭ ରେ ସେ ହମାସର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲା । ଏବଂ ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା ଆରମ୍ଭ କରିଦେଇଥିଲା । ଯାହାର ଫଳ ସ୍ଵରୂପ ଗତ ଅକ୍ଟୋବରରେ ସେ ଇସ୍ରାଏଲକୁ ଏମିତି କ୍ଷତ ଦେଇଛି ଯେ ଯାହା ଶୁଖିବାକୁ କେତେ ବର୍ଷ ଯେ ଲାଗିବ ସେକଥା କେହି କହିପାରିବେନାହିଁ ।

ଆକ୍ରମଣ ପରେ ଅଣ୍ଡରଗ୍ରାଉଣ୍ଡ ହେଇଯାଇଛି ସିନୱାର

ଏହି ଆକ୍ରମଣ ପରେ ୟାହିୟା ସିନୱାର ଆଜି ପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ କି ପ୍ରେସ ସହ କଥାବାର୍ତ୍ତା ହେଇନି ନା କୌଣସି ସର୍ବସାଧାରଣ ସ୍ଥାନରେ ଦେଖାଦେଇଛି । କୁହାଯାଉଛି ଯେ ସେ ଏବେ ଗାଜାର କୌଣସି ସୁଡଙ୍ଗ ଭିତରେ ଆତ୍ମଗୋପନ କରିଛି । ତାକୁ ଖୋଜିବାକୁ ଇସ୍ରାଏଲ ସେନା ନିଜର ସମସ୍ତ କୌଶଳ  ଲଗେଇଦେଇଛି ।