ଟେଡି ବିଅର ବୁଲଡୋଜର୍: ଗାଜା ଷ୍ଟ୍ରିପରେ ବିନାଶ ଘଟାଉଥିବା ଇସ୍ରାଏଲର ଏହି ‘ଟେଡି ବିଅର’ ବୁଲଡୋଜର କେତେ ବିପଜ୍ଜନକ ?

119

ଇସ୍ରାଏଲ ନିଜର ଅଭିନବ ଅସ୍ତ୍ର ପାଇଁ ବେଶ ଜଣାଶୁଣା । ସେମାନେ ଯେ କୌଣସି ସାଧାରଣ ମେସିନକୁ ଅତ୍ୟାଧୁନିକ  ଅସ୍ତ୍ରରେ ପରିଣତ କରିଦେଇପାରନ୍ତି ।  ଏବେ ସେମାନେ ଏକ ବୁଲଡୋଜରକୁ ମଧ୍ୟ ଏପରି ଏକ  ଭୟଙ୍କର ଅସ୍ତ୍ରରେ ପରିଣତ କରିଛନ୍ତି । ଏହି ବୁଲଡୋଜର କେବଳ ଆତଙ୍କବାଦୀଙ୍କ ଲୁଚିବା ସ୍ଥାନକୁ  ନଷ୍ଟ କରୁନାହିଁ ବରଂ ସେମାନକୁ ମାରିବାରେ ସକ୍ଷମ ହେଉଛି ।

ଏହି ବୁଲଡୋଜରର ନାମ ହେଉଛି – IDF caterpillar D9 ।  ଇସ୍ରାଏଲରେ ଏହାକୁ ଶ୍ରଦ୍ଧାରେ ‘ଡୋବି’ କୁହାଯାଏ | ଯାହାର ଅର୍ଥ ହିବ୍ରୁ ଭାଷାରେ ଟେଡି ବିଅର।  ଏହା ଏକ ସଶସ୍ତ୍ର ଯୁଦ୍ଧ ଯାନ ତଥା  ସଶସ୍ତ୍ର ବୁଲଡୋଜର ।  ଯାହା ଇସ୍ରାଏଲ୍ ସୈନ୍ୟବାହିନୀ ଦ୍ୱାରା ବ୍ୟବହୃତ ହୁଏ ।  ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏହାକୁ ଅନେକ ଥର ମୋଡିଫାଏଡ କରିଛନ୍ତି । ତେଣୁ ଏହା ଏକ ମାରାତ୍ମକ ଅସ୍ତ୍ରରେ ପରିଣତ ହୋଇ ପାରିଛି ।

IDF caterpillar D9 ବୁଲଡୋଜର ଯୁଦ୍ଧ ଇଞ୍ଜିନିୟରିଂର ଏକ ଉତ୍କୃଷ୍ଟ ଉଦାହରଣ । ଆହୁରି ମଧ୍ୟ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ଏହା ବହୁତ ସଫଳ ବୋଲି ବିବେଚନା କରାଯାଏ । ଏହା 405-410 ହର୍ଷ ପାୱାର ଯୁକ୍ତ ଅଟେ ।  ଏହାକୁ ଚଳାଇବା ପାଇଁ ଦୁଇ ଜଣ ଆବଶ୍ୟକ । ଏହାର  କ୍ରୁ କ୍ୟାବିନ ବୁଲେଟପ୍ରୁଫ ଅଟେ ।  ଯାହା ଇସ୍ରାଏଲ୍ ସୈନିକମାନଙ୍କୁ ବମ, ମେସିନ୍ ଗନ ଏବଂ ଗୁଳିରୁ ରକ୍ଷା କରିଥାଏ ।  

କେବଳ ଏତିକି ନୁହେଁ ଏହି ବୁଲଡୋଜର ଚାରିପଟେ ଏପରି କବଚ ସ୍ଥାପନ କରାଯାଇଛି ଯାହା ରକେଟ୍ ପ୍ରପେଲଡ୍ ଗ୍ରେନେଡ୍ (RPG) ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ ନାହିଁ ।  ତଳ ଭାଗରେ ଥିବା ଧାତୁ ଆବରଣ ଏତେ ମୋଟା ଯେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡେ ନାହିଁ । ଏହାର ଅର୍ଥ ହେଉଛି ଏହା ହେଉଛି ଇସ୍ରାଏଲର ସର୍ବୋତ୍ତମ ଅସ୍ତ୍ର ।

ଗାତ ଖୋଳିବା, ବାଲି ବନ୍ଧ ନିର୍ମାଣ, ଉଦ୍ଧାର କାର୍ଯ୍ୟ ପରିଚାଳନା, ଓଲଟି ପଡିଥିବା ଯାନ ଉଠାଇବା, ବିସ୍ଫୋରକ ସାମଗ୍ରୀକୁ ନିଷ୍କ୍ରିୟ କରିବା କିମ୍ବା ବାଟରେ ଥିବା କୌଣସି ବାଧା ଦୂର କରିବା ପାଇଁ କ୍ୟାଟରପିଲର୍ D9 ବୁଲଡୋଜର ବ୍ୟବହାର କରାଯାଏ । ଏହା ଯୁଦ୍ଧକ୍ଷେତ୍ରରେ ଥିବା ସୈନିକମାନଙ୍କ ପାଇଁ ରାସ୍ତା ମଧ୍ୟ ସଫା କରିଥାଏ ।

ଏହି ବୁଲଡୋଜରକୁ ୧୯୫୪ ରେ ଇସ୍ରାଏଲ୍ ସେନା ଦ୍ଵାରା ଅଧିଗ୍ରହଣ କରାଯାଇଥିଲା ।  ସେବେଠାରୁ ଏହାକୁ ଇସ୍ରାଏଲ ବ୍ୟବହାର କରିଆସୁଛି । ଏହା ପରେ ସାଇନା ଯୁଦ୍ଧ, ଛଅ ଦିନିଆ ଯୁଦ୍ଧ, ୟୋମ କିପୁର ଯୁଦ୍ଧ ଏବଂ ଅପରେସନ୍ ପିସ ଫର ଗାଲିଲୀ ପାଇଁ ଏହା ବହୁଳ ଭାବରେ ବ୍ୟବହୃତ ହୋଇଥିଲା । ଏଥର ପୁନର୍ବାର ଗାଜା ଷ୍ଟ୍ରିପରେ ହାମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ ସେନା ଏହି ବୁଲଡୋଜର ବ୍ୟବହାର କରୁଛି ।

 

ଏହି ବୁଲଡୋଜରରେ FN ମ୍ୟାଗ୍ ବେଲଜିୟମ୍ ମେସିନ୍ ଗନ ଲଗାଯାଇଛି ।  ଏହା ଏକ 7.62 ମିଲିମିଟର ଜେନେରାଲ ମେସିନ୍ ବନ୍ଧୁକ । ଏହା ଏବେ  ଭାରତରେ ମଧ୍ୟ ତିଆରି ହେଉଛି । ଏହାର ଓଜନ 11.8 କିଲୋଗ୍ରାମର  । ଏହି ମେସିନ ଗନର ରେଞ୍ଜ ୩୫୦୦  ମିଟର ଅଟେ ।  ଏହାର ଅର୍ଥ ସାଢେ ତିନି କିଲୋମିଟର । ଏଥିରୁ ଏକ ମିନିଟରେ ୬୫୦ ରୁ ୧୦୦୦ ଗୁଳି ବାହାରିପାରେ । 

୨୦୧୪ ରେ ଏହି ବୁଲଡୋଜରକୁ ଅପରେସନ୍ ପ୍ରୋଟେକ୍ଟିଭ୍ ଏଜରେ ବହୁଳ ଭାବରେ ବ୍ୟବହାର କରାଯାଇଥିଲା । ଏହା ଅନେକ ଲ୍ୟାଣ୍ଡମାଇନ୍ ନଷ୍ଟ କରିଦେଇଥିଲା । ୩୦ ରୁ ଅଧିକ ଟନେଲ ନଷ୍ଟ କରିବାରେ ସାହାଯ୍ୟ କରିଥିଲା । ଏହା ବ୍ୟତୀତ ଏହା ଟ୍ୟାଙ୍କ ଏବଂ ପଦାତିକ ବାହିନୀ ପାଇଁ ରାସ୍ତା ତିଆରି କରିବାରେ ସାହାଯ୍ୟ କରିଥିଲା । ଏହା ସାହାଯ୍ୟରେ ଅପରେସନର ପ୍ରଥମ ଦିନରେ ହିଁ  ଆତଙ୍କବାଦୀ ଆକ୍ରମଣ ବନ୍ଦ ହୋଇଯାଇଥିଲା ଏବଂ ଦୁଇ ଜଣ  ଆତଙ୍କବାଦୀ ନିହତ ହୋଇଥିଲେ।

ପାଲେଷ୍ଟାଇନ ଆତଙ୍କବାଦୀମାନେ ଏକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ସହିତ ବୁଲଡୋଜର ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଇସ୍ରାଏଲ୍ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସଦସ୍ୟ ଆହତ ହୋଇଥିଲେ । କିନ୍ତୁ ଏହା ପରେ ଅନ୍ୟ ବୁଲଡୋଜରଗୁଡିକ ହମାସ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନକୁ ନଷ୍ଟ କରିଦେଇଥିଲେ । ଏହି ଗାଡି  ୮  ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସହାୟକ ହେଇଥିଲା ।