୧୧ ଦିନରେ ଇସ୍ରାଏଲ-ହମାସ୍ ଯୁଦ୍ଧ : ଭୟଙ୍କର ଯୁଦ୍ଧରେ ଗଲାଣି ୪ହଜାରରୁ ଅଧିକ ଜୀବନ

156

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ପାର କଲାଣି । ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଲାଣି । ଉତ୍ତର ଗାଜାରେ ବଡ଼ ଧରଣର ଆକ୍ରମଣ ପାଇଁ ଇସ୍ରାଏଲର ସ୍ଥଳସେନା ପ୍ରସ୍ତୁତ ହୋଇଛି । ଯୁଦ୍ଧ ବ୍ୟାପକ ହେଉଥିବା ବେଳେ ଗାଜାରେ ମାନବ ସଙ୍କଟ ବଢିବାରେ ଲାଗିଛି । ଇସ୍ରାଏଲର ତାଗିଦ୍ ପରେ ଉତ୍ତର ଗାଜାରୁ ୧୦ ଲକ୍ଷ ଲୋକ ଘର ଛାଡିଛନ୍ତି । ଏମାନେ ଦକ୍ଷିଣ ଗାଜାରେ ଥିବା ଖାନ୍ ୟୁନିସ୍ ସହର ମୁହାଁ ହୋଇଛନ୍ତି । ହେଲେ ଖାଦ୍ୟ ଓ ପାଣି ବିନା ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି ।

ଜାଫା କ୍ରସଙ୍ଗ ସୀମାରେ ହଜାର ହଜାର ଲୋକ ଅଟକ ରହିଛନ୍ତି । ଗାଜାକୁ ଲାଗିଥିବା ଏହି ଏକମାତ୍ର ସୀମା ରାସ୍ତା ବନ୍ଦ ଥିବାରୁ ଖାଦ୍ୟ ଓ ଅନ୍ୟ ରିଲିଫ୍ ସାମଗ୍ରୀ ପହଞ୍ଚି ପାରୁନାହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ପାଣି, ବିଜୁଳି ଓ ଇନ୍ଧନ ଶେଷ ହୋଇଯିବ । ଯାହା ଦ୍ୱାରା ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ । ଗାଜାରେ ଏପରି ଦୟନୀୟ ସ୍ଥିତିକୁ ଦେଖି ଜାତିସଂଘ ଓ ଅନ୍ୟ କେତେକ ରାଷ୍ଟ୍ର ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି । ହେଲେ ଇସ୍ରାଏଲ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛି ।