୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ ।

142

କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ୟାର ଅର୍ଥ ହେଲା ଭଗବାନ ଯେତେବେଳେ ଯାହାକୁ ବଞ୍ଚାଇବାକୁ ଚାହିଁବେ ସେତେବେଳେ ତାକୁ କେହି ମାରିପାରିବେ ନାହିଁ । ଠିକ ଏହିପରି ଏକ ଘଟଣା ଘଟିଛି ଇସ୍ରାଏଲ-ହମାସ ଯୁଦ୍ଧର ବିଭୀଷିକା ମଧ୍ୟରେ ।

ସମସ୍ତେ ଜାଣିଛନ୍ତି ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ପରେ ୧୪୦୦ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତା ବାଦ ଆହୁରି ୨୦୦ ଉର୍ଦ୍ଧ ଲୋକଙ୍କୁ  ଅପହରଣ କରିନେଇ ପଣବନ୍ଦୀ କରି ରଖିଛି ।

ଏହି ଆକ୍ରମଣର ପ୍ରତିବଦଳରେ ଇସ୍ରାଏଲ ହମାସ ଶାସିତ ଗାଜା ଉପରେ ଲଗାତାର ଆକ୍ରମଣ କରି ଆସୁଛି । ଗାଜା ସହର ଏକରକମର ଧ୍ବଂସସ୍ତୂପରେ ପରିଣତ ହେଇଆସିଲାଣି ।

 ବର୍ତ୍ତମାନ ଧ୍ବଂସର ସେହି ପାହାଡ଼ ଭିତରୁ ଏବେ ଏକ ନୂଆ ଜୀବନର ସନ୍ଧାନ ମିଳିଛି ।

ସୋସିଆଲ ମେଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ ଏକ ନବଜାତ ଶିଶୁକୁ କିଛି ଉଦ୍ଧାରକର୍ମୀ ଏକ ଭଙ୍ଗା ଘର ଭିତରୁ ଉଦ୍ଧାର କରୁଛନ୍ତି ।

ସୂଚନାନୁସାରେ ହମାସ ଆକ୍ରମଣର ପ୍ରତିଉତ୍ତରରେ  ଇସ୍ରାଏଲ ଗାଜା ଉପରେ ବୋମାବର୍ଷଣ କରିଚାଲିଥିଲା । ଆକ୍ରମଣରେ ଗାଜାର ଅନେକ ଘର ଭାଙ୍ଗି  ଧୂଳିସାତ ହେଇଯାଇଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ଶିଶୁଟିର ଘର ମଧ୍ୟ ସମ୍ପୂର୍ଣରୂପେ ନଷ୍ଟ ହୋଇଯାଇଥିଲା । କୁହାଯାଉଛି ଯେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଏହି ନିରୀହ ଶିଶୁଟି ଜନ୍ମ ହୋଇଥିଲା ।

୩୭ ଦିନ ପରେ ଧ୍ବଂସ ସ୍ତୂପ ତଳୁ ବାହାରିଲା ଜୀବନ୍ତ ଶିଶୁ

ବୋମା ବିସ୍ଫୋରଣରେ ଘର ସିନା ନଷ୍ଟ ହୋଇଯାଇଥିଲା କିନ୍ତୁ ଶିଶୁର ନିଶ୍ୱାସ ଚାଲିଥିଲା । ଆଶ୍ଚର୍ଯ୍ୟଜଣକ ଭାବେ ଧ୍ବଂସ ସ୍ତୂପ ତଳେ ପିଲାଟି ୩୭ ଦିନ ଧରି ଜୀବିତ ରହିଥିଲା । ଏହାକୁ ଭଗବାନଙ୍କ ଚମତ୍କାର କୁହାଯିବନି ତ ଆଉ କଣ କୁହାଯିବ । ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ପିଲାଟି କିପରି ବଞ୍ଚି ରହିଥିଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।

ସୋସିଆଲ ମେଡ଼ିଆରେ ଭାଇରାଲ ହେବାରେ ଲାଗିଛି ଶିଶୁଟିର ଭିଡିଓ

ଉଦ୍ଧାର କାର୍ଯ୍ୟ ସମୟରେ ଉଦ୍ଧାରକର୍ମୀମାନେ ତାକୁ ଘରର ଧ୍ଵଂସାବଶେଷ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଫଟୋଗ୍ରାଫର ନୁହ ଅଲ୍ ଶଗ୍ନୋବି ଶିଶୁର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହା ସହିତ ସେ ଶିଶୁର କାହାଣୀ ମଧ୍ୟ ସେୟାର କରିଥିଲେ । ସୋସିଆଲ ମେଡିଆରେ ସେୟାର ହେବାମାତ୍ରେ ଏହ ବିଦ୍ୟୁତବେଗରେ ଭାଇରାଲ ହେବାରେ ଲାଗିଥିଲା । ଲୋକମାନେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ତିନିଘଣ୍ଟାର ଅକ୍ଳାନ୍ତ  ପରିଶ୍ରମ ପରେ ଉଦ୍ଧାରକର୍ମୀମାନେ ପିଲାଟିକୁ  ଭଙ୍ଗାଘରର ଚଟାଣ ତଳୁ ବାହାର କରୁଛନ୍ତି ।  ଭିଡିଓରେ ଦେଖାଯାଇଛି ଯେ ଘରର ଚଟାଣ ଭାଙ୍ଗି ଯାଇଥିଲା ଏବଂ ପିଲାଟି ସେହି ଭଙ୍ଗା ଚଟାଣ ତଳେ ଏତେ ଦିନ ପର୍ଯ୍ୟନ୍ତ ପୋତି ହୋଇ ରହିଥିଲା । ଶିଶୁଟି ସୁରକ୍ଷିତ ଉଦ୍ଧାର ହେବା ପରେ ରିଲିଫ ଓ ଉଦ୍ଧାର କର୍ମଚାରୀଙ୍କ ମଧ୍ୟରେ ଆନନ୍ଦରେ କୌଣସି ସୀମା ନଥିଲା । ସମସ୍ତେ ତାକୁ ଗୋଟିଏ ପରେ ଗୋଟିଏ କୋଳରେ ନେଇ ଗେଲ କରିବାକୁ ଲାଗୁଛନ୍ତି । ପିଲାଟି ମଧ୍ୟ ନିରୀହ ଆଖିରେ ସମସ୍ତଙ୍କୁ ଚାହୁଁଥାଏ ।

ଶିଶୁଟିର ପରିବାରର କୌଣସି ଖୋଜଖବର ନାହିଁ

ନିରୀହ ଶିଶୁଟିର ଜୀବନ ତ ରକ୍ଷା ପାଇଗଲା କିନ୍ତୁ ତା ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିଷୟରେ କୌଣସି ଖୋଜଖବର ନାହିଁ । ସେମାନେ ଜୀବିତ ନା ମୃତ କେହି ଜାଣିନାହାନ୍ତି । ଏତେଦିନ ଧରି ଶିଶୁଟି କିପରି ଜୀବିତ ରହିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ  !!!!