୧୪ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ : ଗାଜାରେ ପ୍ରବେଶ କରିବ ଇସ୍ରାଏଲ ସେନା; ଖୋଜି ଖୋଜି ହମାସ ଆତଙ୍କୀଙ୍କୁ ନିପାତ୍ କରିବ ଆଇଡିଏଫ୍

164

କନକ ବ୍ୟୁରୋ : ୧୪ ଦିନରେ ପହଞ୍ଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଆଉ ଯୁଦ୍ଧଭୂମି ଗାଜାରେ ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଏବେ କୌଣସି ବି ମୁହୂର୍ତ୍ତରେ ଗାଜା ସହର ଭିତରେ ପ୍ରବେଶ କରି ପାରନ୍ତି ଇସ୍ରାଏଲ ସେନା । ଆଉ ଘର ଘର ବୁଲି ହମାସ ଆତଙ୍କୀଙ୍କୁ ନିପାତ କରିବ । ଏଭଳି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସେ କହିଛନ୍ତି, ଏବେ ବାହାରୁ ଆକ୍ରମଣ କରାଯାଉଥିଲା । ଏବେ ଆମେ ଗାଜାର ଭିତର ଚିତ୍ର ଦେଖିବୁ । ଖାଲି ନିର୍ଦ୍ଦେଶକୁ ଅପେକ୍ଷା ।

ଗାଜା ସୀମାରେ ଏକ ଲକ୍ଷରୁ ଅଧିକ ଇସ୍ରାଏଲ ସେନା ମୁତୟନ ରହିଛନ୍ତି । ୨୨ଶହ ଟ୍ୟାଙ୍କ୍ ଆଉ ଅନ୍ୟାନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ପ୍ରସ୍ତୁତ ରହିଛନ୍ତି । ସେପଟେ ଇସ୍ରାଏଲ ଗସ୍ତ ସାରି ଫେରିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗାଜାର ସ୍ଥିତି ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗାଜାରେ ଯେଉଁଭଳି ଭାବେ ନିରୀହ ଲୋତକଙ୍କ ଜୀବନ ଯାଉଛି ତାହା ମତେ ମର୍ମାହତ କରିଛି । ବିଶେଷ କରି ଗାଜା ଡାକ୍ତରଖାନା ଉପରେ ଆକ୍ରମଣ ମତେ ଖୁବ ଦୁଃଖ ଦେଇଛି । ପ୍ରତ୍ୟେକ ନିରୀହ ଜୀବନ ପାଇଁ ଆମେ ଶୋକ ପ୍ରକାଶ କରୁଛୁ, ଯେଉଁମାନେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଆମେ ମାନବିକତା ଭୂଲିବା କଥା ନୁହେଁ । ଗାଜାରେ ଯେଉଁ ପାଲେଷ୍ଟାଇନ୍ ନାଗରିକ ଶାନ୍ତିର ସହ ବଂଚିବାକୁ ଚାହୁଁଛନ୍ତି, ତାଙ୍କୁ ବଞ୍ଚିବାକୁ ଦିଆଯିବା ଉଚିତ୍ ।

ସେପଟେ ଗାଜା ଓ ଲେବାନନ୍ ଆକ୍ରମଣରେ ପେଶି ହେଲାଣି ଇସ୍ରାଏଲ । ଗୋଟିଏ ପଟେ ହମାସ ତ ଅନ୍ୟପଟେ ଲେବାନନ୍ରୁ ଇସ୍ରାଏଲ ଉପରେ ବାରୁଦ ବର୍ଷା କରୁଛି ଆତଙ୍କୀ ସଂଗଠନ ହେଜବୁଲ୍ଲା । ଯାହାକୁ ନେଇ ଲେବାନନ୍ – ଇସ୍ରାଏଲ ସୀମାରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଲେବାନନ୍ ଓ ଗାଜା ପଟୁ ରାଜଧାନୀ ତେଲ ଅବିବ୍ ଉପରେ ତୁହାକୁ ତୁହା ମିଜାଇଲ୍ ଆଟାକ୍ ଜାରି ରହିଛି । ତେବେ ଇସ୍ରାଏଲର ଦକ୍ଷ ପ୍ରତିରକ୍ଷା ପ୍ରଣାଳୀ ଆଇରନ୍ ଡୋମ୍ ପାଇଁ ଆକ୍ରମଣରୁ ଧ୍ୱଂସ ଲୀଳା ହେବାରେ ବର୍ତ୍ତି ଯାଉଛି ତେଲ ଅବିବ୍ ।