ଗାଜା ଉପରେ ଲଗାତାର ଆକ୍ରମଣକୁ  ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଇସ୍ରାଏଲକୁ ବିରୋଧର ସାମନା ହେବାକୁ ପଡୁଛି ।

Advertisment

ମଙ୍ଗଳବାର ଦିନ ବୋଲିଭିଆ ଇସ୍ରାଏଲ ସହ କୂଟନୀତିକ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ଗାଜା ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ କଲମ୍ବିଆ ଏବଂ ଚିଲି ଇସ୍ରାଏଲରେ ସେମାନଙ୍କର ରାଷ୍ଟ୍ରଦୂତମାନଙ୍କୁ ପରାମର୍ଶ ପାଇଁ ଫେରେଇ ନେଇଛନ୍ତି ।

ଏହି ସମୟରେ ଗାଜା ଉପରେ ଇସ୍ରାଏଲ ଆକାଶମାର୍ଗରୁ ଏବଂ ସ୍ଥଳଭାଗରୁ ଲଗାତାର ଆକ୍ରମଣ ଜାରି ରହିଛି । ଜବାଲିଆ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି । ଜାତିସଂଘର ଏଜେନ୍ସି ଅନୁଯାୟୀ ଏହି ଜବାଲିଆ ଶିବିର ଗାଜା ଅଞ୍ଚଳର ଶରଣାର୍ଥୀ ଶିବିର ମଧ୍ୟରୁ ବୃହତ୍ତମ ଅଟେ ।

ବଲିଭିଆ ଛିନ୍ନ କଲା କୂଟନୈତିକ ସମ୍ପର୍କ

ରଏଟର୍ସ ଅନୁଯାୟୀ, ବଲିଭିଆର ଡେପୁଟି ବୈଦେଶିକ ମନ୍ତ୍ରୀ ଫ୍ରେଡି ମମାନି କହିଛନ୍ତି ଯେ ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ଅସଙ୍ଗତ ଅଟେ । ଇସ୍ରାଏଲର ସାମରିକ ଆକ୍ରମଣକୁ ନିନ୍ଦା କରିବା ସହ ବୋଲିଭିଆ ଇସ୍ରାଏଲ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି ।

ଆମେରିକାରେ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି

FBI ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ ମଙ୍ଗଳବାର ଦିନ ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲ-ହାମାସ ଯୁଦ୍ଧ ପରେ ଆମେରିକା ଉପରେ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି । AFP ଅନୁସାରେ "ଆମର ଆକଳନ ହେଉଛି ଯେ ହମାସ ଏବଂ ଏହାର ସହଯୋଗୀମାନଙ୍କ କାର୍ଯ୍ୟକଳାପ, ଆତଙ୍କବାଦୀ ମାନଙ୍କ ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିବ । ଯାହା ଆମେ ତଥାକଥିତ (ଇସଲାମିକ୍ ଷ୍ଟେଟ୍ ଗ୍ରୁପ୍) ବିରୋଧରେ ବହୁ ବର୍ଷ ଆଗରୁ ଆରମ୍ଭ କରିଥିଲୁ ।

ଜବାଲିଆ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ଏକ ଅପରାଧ

ମିଳିତ ଜାତିସଂଘରେ ପାଲେଷ୍ଟାଇନ ରାଜ୍ୟର ସ୍ଥାୟୀ ପର୍ଯ୍ୟବେକ୍ଷକ ରାଷ୍ଟ୍ରଦୂତ ରିୟାଦ ମାନସ କହିଛନ୍ତି ଯେ ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ ଏକ ଅପରାଧ ଅଟେ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) କୁ ନିବେଦନ କରିଛନ୍ତି। ମଙ୍ଗଳବାର ମିଳିତ ଜାତିସଂଘର ବୈଠକରୁ ବାହାରିଲାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଏହିପରି ମାରାତ୍ମକ ଆକ୍ରମଣରେ ଜଡ଼ିତ ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

କଲମ୍ବିଆର ରାଷ୍ଟ୍ରପତି ଇସ୍ରାଏଲ ବିରୋଧରେ ଅଭିଯୋଗ ଆଣିଲେ

କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଇସ୍ରାଏଲକୁ ପାଲେଷ୍ଟାଇନୀୟମାନଙ୍କ ଉପରେ 'ନରସଂହାର' କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଦେଶ ଏହାକୁ କଦାପି ସମର୍ଥନ କରିପାରିବ ନାହିଁ । ଏହି ମାସ ଆରମ୍ଭରେ କଲମ୍ବିଆ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ବୋଗୋଟା (ରାଜଧାନୀ) ଛାଡିବାକୁ କହିଥିଲେ ।

ଚିଲିର ରାଷ୍ଟ୍ରପତି କଣ କହିଲେ ?

ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ​​କହିଛନ୍ତି ଯେ ଗାଜା ଅଞ୍ଚଳରେ ଆନ୍ତର୍ଜାତୀୟ ମାନବିକ ଅଧିକାରର ଉଲ୍ଲଂଘନ ହେତୁ ଇସ୍ରାଏଲରେ ଥିବା ରାଷ୍ଟ୍ରଦୂତଙ୍କୁ ସେ ଫେରେଇ ଆଣୁଛନ୍ତି ।