ଇସ୍ରାଏଲ-ହମାସ ଯୁଦ୍ଧ ଯାଉଛି ନିରୀହ ନାଗରିକଙ୍କ ଜୀବନ, ଚିନ୍ତା ପ୍ରକାଶ କଲା ଭାରତ: ପ୍ରଧାନମନ୍ତ୍ରୀ କହିଲେ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନି ଦୁଖଦ ଓ ନିନ୍ଦନୀୟ

83

କନକ ବ୍ୟୁରୋ: ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫାର ବାହାର ଭିତରେ ମାଳ ମାଳ ଇସ୍ରାଏଲ ସେନା । କୋଣଅନୁକୋଣକୁ ଜଗି ରହିଛନ୍ତି ସେନା । ଯେବେଠୁ ହସ୍ପିଟାଲରେ ହମାସ ମୁଖ୍ୟାଳୟ ଥିବା ପ୍ରମାଣ ହାତରେ ଲାଗିଛି ସେବେଠୁ ଅଧିକ ଆକ୍ରାତ୍ମକ ହୋଇପଡିଛି ଆଇଡିଏଫ । ହମାସର ଆଡ୍ଡା ଓ ଏହା ଭିତରୁ ବିପୁଳମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯିବା ପରେ ଏବେ ଇସ୍ରାଏଲ ସେନା ହାତରେ ଲାଗିଛି ଆତଙ୍କୀ ସଂଗଠନର ସୁଡ଼ଙ୍ଗ । ଭିଡିଓ ପ୍ରମାଣ ଜାରି କରାଯାଇଛି ।

ହମାସର ସିକ୍ରେଟ୍ ସୁଡ଼ଙ୍ଗ
-ସୁଡ଼ଙ୍ଗ ଦେଇ ହମାସ ଆତଙ୍କୀ ହସ୍ପିଟାଲ ଭିତରକୁ ଯାଅଆସ କରୁଥିଲେ
-ବୁଲେଟ୍ପ୍ରୁଫ୍ ଓ ବିସ୍ଫୋରକ କବାଟ ଲାଗିଥିଲା
-ସୁଡ଼ଙ୍ଗରେ ପ୍ରବେଶଦ୍ୱାରରେ କ୍ୟାମେରା ଲାଗିଥିଲା
-ସେନା ପଶିବା ମାତ୍ରକେ ସାଇରନ ବାଜୁଥିଲା
-ସହେନ୍ଦ ଘେରକୁ ନଆସିବା ପାଇଁ କେବଳ ୧୮୦ ମିଟର ଲମ୍ବର ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା
-ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ଏହି ସୁଡ଼ଙ୍ଗ ଭିତରେ ରଖାଯାଉଥିଲା
-ସୌର ପ୍ୟାନେଲ ଜରିଆରେ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା
-ଜମିର ୨୦ ମିଟର ଯାଏଁ ଏହାର ଗଭୀର ଥିଲା

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇସ୍ରାଏଲ-ହମାସ ଯୁଦ୍ଧ ୨ୟ ଚରଣରେ ପହଁଚିଛି । ଉତରଗାଜାରେ ଅପରେସନ ଶେଷ କରି ଏବେ ଦକ୍ଷିଣ ଗାଜା ମୁହାଁ ଇସ୍ରାଏଲ ସେନା । ଉତରଗାଜାରେ ଥିବା ଅଧିକାଂଶ ହମାସ ଶିବିର ଧ୍ୱଂସ ହୋଇସାରିଛି । ଆତ୍ମରକ୍ଷା ପାଇଁ ଆତଙ୍କୀ ଦକ୍ଷିଣଗାଜା ମୁହାଁ ହେଉଥିବା ଜଣାପଡିଛି । ତେଣୁ କଳେବଳେ କୌଶଳେ ହମାସକୁ ମୁଳପୋଛ କରିବାକୁ ଦକ୍ଷିଣ ଗାଜାରେ ବଡ ଧରଣର ଅପରେସନ କରିବାକୁ ଯାଉଛି ଇସ୍ରାଏଲ । ନାଗରିକଙ୍କୁ ସୁରକ୍ଷତ ସ୍ଥାନକୁ ଯିବାକୁ କହୁଛି ଇସ୍ରାଏଲ । ଜଳ, ସ୍ଥଳ, ଆକାଶପଥରୁ ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ହମାସକୁ ସହଯୋଗ ନକରିବାକୁ, ସୁରକ୍ଷିତ ସ୍ଥାନକୁ ଚାଲିବାକୁ କହିଛି ଇସ୍ରାଏଲ । ଏବେ ପ୍ରଶ୍ନ ଦକ୍ଷିଣ ଗାଜାରେ ଥିବା ୨୦ ଲକ୍ଷ ଲୋକ ଯିବେ କୁଆଡେ?

୪୨ଦିନର ଯୁଦ୍ଧରେ ହଜାର ସଂଖ୍ୟକ ନିରୀହ ଲୋକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ବିରୋଧ କରିବା ସହ ନିନ୍ଦା କରିଛି ଭାରତ । ଯୁଦ୍ଧରେ ନାଗରିକଙ୍କ ହତ୍ୟା ଯୁଦ୍ଧ ଅପରାଧ ଅଟେ । ଏହା ନିନ୍ଦନୀୟ ଏହାକୁ ରୋକାଯିବା ଜରୁରୀ । ପଶ୍ଚିମ ଏସିଆର ଅସ୍ଥିରତା ସାରା ବିଶ୍ୱ ଉପରେ ନକରାତ୍ମ ପ୍ରଭାବ ପକାଉଛି । ଏକତା, ସହଯୋଗ ଓ ଆଲୋଚନା ଦ୍ୱାରା ନରସଂହାର ରୋକାଯିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଯୁଦ୍ଧ ଭିତରେ ଯାଉଛି ନିରୀହ ନାଗରିକଙ୍କ ଜୀବନ । ହମାସକୁ ଟାର୍ଗେଟ କରି ଇସ୍ରାଏଲ ସେନା ଘନଘନ ଆକ୍ରମଣ କରୁଛି । ଯେଉଁଥିରେ ନରସଂହାର ବଢ଼ୁଛି । ସାରା ବିଶ୍ୱ ଏହାକୁ ନିନ୍ଦା କରିବା ସହ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଅପିଲ କରୁଛନ୍ତି ବିଭିନ୍ନ ରାଷ୍ଟ୍ର । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏକ ଦୁଖଭରା ବାର୍ତା ଦେଇଛନ୍ତି । ନିରୀହ ନାଗରିକଙ୍କ ମୃତ୍ୟୁ ରୋକିବାକୁ ଚେଷ୍ଟା କରାଯାଉଛି ତଥାପି ଏହା ସେନା ଅପରେସନରେ ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ବେଂଜାମିନ ନେତ୍ୟାନ୍ୟାହୁ ।