ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧବିରାମ । ୩୦  ଶିଶୁଙ୍କ ସମେତ ସମୁଦାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ

55

ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଆଜି ହମାସ କବଳରେ ବନ୍ଦୀ ଅବସ୍ଥାରେ ଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ପାଇଁ ଆଜି ଆଶ୍ଵସ୍ତି ଖବର ମିଳିଛି । ଇସ୍ରାଏଲ୍ କ୍ୟାବିନେଟ୍ ହମାସ ସହିତ ଏକ ୯୬ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ  ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ। ଏଥିରେ ମହିଳା, ମା ଏବଂ ଶିଶୁ ଅନ୍ତର୍ଭୁକ୍ତ ।

ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଶେଷରେ ଆଜି ଅସ୍ତ୍ରବିରତି ଘୋଷଣା ହୋଇଛି । ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ଗାଜାରେ ତୋପ ଏବଂ ଯୁଦ୍ଧ ବିମାନର ଶବ୍ଦ ବନ୍ଦ ହୋଇଯିବ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇସ୍ରାଏଲ କ୍ୟାବିନେଟ୍ ହମାସ୍ ସହିତ ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ । ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୨୪୦  ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ନେଇଥିଲେ।

ଇସ୍ରାଏଲ୍ ସରକାର ଦେଇଥିବା ବିବୃତ୍ତି ଅନୁଯାୟୀ ହମାସ ଆସନ୍ତା ୪ ଦିନ ମଧ୍ୟରେ ଏହି ବନ୍ଧକମାନଙ୍କୁ ମୁକ୍ତ କରିବ । ଏହି ସମୟ ମଧ୍ୟରେ ଇସ୍ରାଏଲ ତାର ସମସ୍ତ ଆକ୍ରମଣକୁ ବନ୍ଦ ରଖିବ । ରିପୋର୍ଟ ଅନୁଯାୟୀ, ହମାସ ମୁକ୍ତ କରୁଥିବା ଅଧିକାଂଶ ବନ୍ଧକ ହେଉଛନ୍ତି ମହିଳା ଏବଂ ଶିଶୁ । ସେମାନଙ୍କୁ ୧୦ ରୁ ୧୨ ଟି ଦଳରେ ମୁକ୍ତ କରାଯିବ ।

ତେଲ ଅଭିଭ  ଗଣମାଧ୍ୟମ ଅନୁଯାୟୀ, ଯେଉଁମାନଙ୍କୁ ମୁକ୍ତ କରାଯିବ ସେମାନଙ୍କ ମଧ୍ୟରେ ୩୦ ଜଣ ଶିଶୁ ୮ ଜଣ ମା ଏବଂ ୧୨ ଜଣ ମହିଳା ଅଛନ୍ତି । ଇସ୍ରାଏଲ୍ କହିଛି, “ଅପହରଣ ହୋଇଥିବା ସମସ୍ତ ଲୋକଙ୍କୁ ଘରକୁ ଫେରେଇ ଆଣିବା ପାଇଁ ଇସ୍ରାଏଲ୍ ସରକାର ପ୍ରତିବଦ୍ଧ । ଆଜି ରାତିରେ ସରକାର ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଥମ ପର୍ଯ୍ୟାୟର ରୂପରେଖାକୁ ଅନୁମୋଦନ କରିଛନ୍ତି ।

୫୦ ଜଣ ବନ୍ଧକ ବଦଳରେ ଇସ୍ରାଏଲ୍ ମଧ୍ୟ ୧୫୦ ଜଣ  ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ଏକ ଖବର ସୂତ୍ରରୁ ପ୍ରକାଶ। ତେବେ ଇସ୍ରାଏଲ୍ ସରକାର ଦେଇଥିବା ବିବୃତ୍ତିରେ ଏହାଉପରେ ନିଶ୍ଚିତ କରି କିଛି କୁହାଯାଇନାହିଁ ।  ଅସ୍ତ୍ରବିରତି ସର୍ତ୍ତାବଳୀ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅବସ୍ଥାରେ ରହିଛି ।