ଗାଜା ହସ୍ପିଟାଲ ବମିଂ ଘଟଣା : ଇସ୍ରାଏଲକୁ କ୍ଲିନ ଚିଟ୍ ଦେଲା ଆମେରିକା; ସେପଟେ ଗାଜାରେ ଆରମ୍ଭ ହୋଇଗଲାଣି ଖାଦ୍ୟାଭାବରୁ ମୃତ୍ୟୁ

146

କନକ ବ୍ୟୁରୋ : ଯୁଦ୍ଧ ଭିତରେ ଇସ୍ରାଏଲ ତେଲ ଅବିବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ଦୁଇ ନେତାଙ୍କ ଭିତରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ଗାଜା ହସ୍ପିଟାଲ ଆକ୍ରମଣ ନେଇ ଇସ୍ରାଏଲକୁ କ୍ଲିନ ଚିଟ୍ ଦେଇଛି ଆମେରିକା । ହସ୍ପିଟାଲ ଉପରେ ଆକ୍ରମଣକୁ ବାଇଡେନ୍ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହିଛନ୍ତି । ଆକ୍ରମଣ ପଛରେ ଅନ୍ୟ ଟିମ୍ ଥିବା କହିଛନ୍ତି ବାଇଡେନ ।

ହସ୍ପିଟାଲ ଉପରେ ଆକ୍ରମଣକୁ ସମାଲୋଚନା ଇସ୍ରାଏଲ ସହ ସବୁ ପରିସ୍ଥିତିରେ ରହିଛି ଆମେରିକା । ସୁରକ୍ଷା ପାଇଁ ଇସ୍ରାଏଲ ଯାହା ଆବଶ୍ୟକ କରିବ, ତାହା ନିଶ୍ଚିତ କରିବ ଆମେରିକା । ହେଲେ ଗାଜାରେ ସ୍ଥଳ ଅଭିଯାନ କରିବା ପାଇଁ ଇସ୍ରାଏଲ ଯେଉଁ ଯୋଜନା ରଖିଛି, ତାହା ସହ ଆମେରିକା ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଏକମତ ନାହାନ୍ତି । ସେ ଚେତାଇ ଦେଇଛନ୍ତି ଯେ, ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଯେଉଁ ଭୁଲ କରିଥିଲା, ସେହି ଭୁଲ ଇସ୍ରାଏଲ ନ ଦୋହରାଉ । ସେପଟେ ଇସ୍ରାଏଲ ବିମାନ ଗାଜା ଉପରେ ଆକ୍ରମଣ ଜାରି ରଖିଛି ।

ତେବେ ହସ୍ପିଟାଲ ପରିସରରୁ ୪୭୧ ଶବ ଉଦ୍ଧାର ହୋଇଥିବା ଗାଜା କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଅନେକ ଶବ ଏବେ ବି ଧ୍ବଂସସ୍ତୂପ ତଳେ ରହିଥିବା କୁହାଯାଉଛି । ୩୦୦ରୁ ଅଧିକ ଆହତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ହସ୍ପିଟାଲ ମୃତ୍ୟୁ ସଂଖ୍ୟା ୫୫୦ ଟପିବ ବୋଲି ଆଶଙ୍କା କରାଯାଉଛି । ଗାଜାରେ ଚଳିତ ଯୁଦ୍ଧରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ୫୧ ଥର ଆକ୍ରମଣ ହେଲାଣି ଏବଂ ଏଥିରେ ୧୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ଜଣାପଡ଼ିଛି ।