ବିସ୍ଫୋରଣ ପରେ ଦିଲ୍ଲୀ ଓ ୟୁପିରେ ବଢିଲା ସୁରକ୍ଷା । ଇସ୍ରାଏଲ ଦୂତାବାସ ନିକଟରୁ ମିଳିଲା ଲଫାପା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା

ସେପଟେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ

96

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ସ୍ଥଳ ନିକଟରୁ ଠାବ ହୋଇଛି ଇସ୍ରାଏଲ ଦୂତାବାସ ନାଁରେ ଆସିଥିବା ଲଫାପା । ଏହାକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଜବତ କରିଛି । ଏହା କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ତାହା ନେଇ ତଦନ୍ତ ଜାରି ରହିଛି । ନିକଟବର୍ତ୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରଣାଣ ଖୋଜୁଛି ।

ସେପଟେ ଘଟଣା ପରେ ପରେ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଗତକାଲି ଅପରାହ୍ନ ସମୟରେ ଆଇଇଡି ବିସ୍ଫୋରଣ ପରେ ପରେ ସୁରକ୍ଷା ଅଧିକ କଡାକଡି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ  ଘଟାଇଥାନ୍ତି । ଏହି ବିସ୍ଫୋରଣରେ ବିଶେଷ କ୍ଷତି ହୋଇନାହିଁ, କେବଳ ୩ରୁ ୪ଟି କାରର କାଚ କ୍ଷତିଗ୍ରସ୍ତ ହୋଇଛି । ଏନେଇ ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବିଦେଶ ଗାବି ଅଶକେନାଜିଙ୍କ ସହ କଥା ହୋଇଛନ୍ତି ଓ ଏ ଘଟଣାକୁ ଗମ୍ଭିରତାର ସହ ନିଆଯାଇଛି ।

ଜୟଶଙ୍କର କହିଛନ୍ତି ଯେ, ଇସ୍ରାଏଲ ଦୂତାବାସ ଓ ରାଷ୍ଟ୍ରଦୂତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ । ସେପଟେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟବର୍ତ୍ତି ଅଂଚଳରେ ବିସ୍ଫୋରଣ ଘଟଣା ପରେ ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗଲ ଗସ୍ତ ବାତିଲ ହୋଇଛି । ଅମିତ ଶାହା ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ।