ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ଡ୍ରୋନ୍ । ବଙ୍କର ଭିତରେ ଶତ୍ରୁଙ୍କୁ ନିପାତ କରିବା ପାଇଁ ବ୍ୟବହାର କରୁଛି ‘ବଷ୍ଟର ବମ୍’

128

କନକ ବ୍ୟୁରୋ : ଜାରି ରହିଛି ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧ । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ସମୟ ସରିବା ପରେ ଗାଜ୍ଜା ପଟି ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ୍ । ବୋମା ମାଡରେ ସବୁକିଛି ଛାରଖାର ହେବାକୁ ବସିଛି । ମିଳିଥିବା ତାଜା ସୂଚନା ଅନୁସାରେ, ଗାଜା ସହର ଓ ତାର ଆଖପାଖ ଅଞ୍ଚଳରେ ବୋମା ମାଡରେ ଏକାଧୀକ ଲୋକଙ୍କ ଜୀବନ ଚାଲିଯାଇଛି । ଆଉ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ୍ ସେନା ହମାସ ଆତଙ୍କବାଦୀଙ୍କୁ ଡ୍ରୋନ୍ ସାହାଯ୍ୟରେ ଖୋଜି ଖୋଜି ଗୋଟି ଗୋଟି କରି ନିପାତ କରୁଛି । ଡ୍ରୋନ୍ ସାହାଯ୍ୟରେ ହମାସ ଆତଙ୍କୀ ଠିକଣା ଉପରେ ଜୋରଦାର ଆକ୍ରମଣ ଜାରି ରହିଛି ।

ପାଲେଷ୍ଟାଇନଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ କହିବା ଅନୁସାରେ, ସିଜଫାୟାର୍ ହଟିବା ପରେ ଇସ୍ରାଏଲ ଆକ୍ରମଣରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ସେପଟେ ଗାଜା ପଟିରେ ଥିବା ହମାସର ବଙ୍ଗର ଉପରେ ଆମେରିକାର ‘ବଷ୍ଟର ବମ୍’ ସାହାଯ୍ୟରେ ଇସ୍ରାଏଲ୍ ଆକ୍ରମଣ କରିଛି । ଏହି ବଷ୍ଟର ବମର ଓଜନ ୯୦୭କେଜି ରହିଛି । ପୂର୍ବରୁ ଆମେରିକା ଏହି ବୋମାର ବ୍ୟବହାର ଆଫଗାନିସ୍ଥାନ୍, ଇରାକ୍ ଓ ଶିରିଆରେ କରିଥିଲା । ଏହି ବମ୍ ମାଟି ଭିତରକୁ ଯାଇ ବଡ ବିସ୍ଫୋରଣ ଘଟାଇଥାଏ । ଯାହା ଫଳରେ ଶତ୍ରୁର ବଙ୍କର ବି ମାଟିରେ ମିଶିଯାଇଥାଏ । ଏହି ବମ୍ ସାହାଯ୍ୟରେ ଏବେ ଇସ୍ରାଏଲ୍ ହମାସ ଉପରେ ଆକ୍ରମଣ କରୁଛି ।