ବାହାରିଲା କରୋନା ଔଷଧ ? କରୋନା ଭ୍ୟାକ୍ସିନ ପ୍ରସ୍ତୁତ ନେଇ ଇସ୍ରାଏଲର ଦାବି…ଶରୀର ଭିତରେ ହିଁ ଭାଇରସକୁ ନଷ୍ଟ କରିଦେବ ଏହି ଆଣ୍ଟିବଡି

6,070

କନକ ବ୍ୟୁରୋ: କେବେ ମିଳିବନି କରୋନା ଟିକା? ସାରା ବିଶ୍ୱକୁ କରୋନା ଟିକାର ଅପେକ୍ଷା ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଏଭଳି ମତ ସମସ୍ତଙ୍କ ଚିନ୍ତା ବଢାଇଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର ଡେଭିଡ୍ ନାବାଙ୍କ କହିବା ଅନୁସାରେ, କରୋନା ଭୂତାଣୁ ମୁକାବିଲା ପାଇଁ ଟିକା କେବେ ବି ଆସିନପାରେ । କିନ୍ତୁ ନିରାଶ ଭିତରେ ଆଶାର କିରଣ ସୃଷ୍ଟି କରିଛି ଇସ୍ରାଏଲ୍ ।

ମହାମାରୀ କୋଭିଡ୍–୧୯ର ସଂକ୍ରମଣକୁ ରୋକିବା ପାଇଁ ବିଶ୍ବବ୍ୟାପୀ ଉଦ୍ୟମ ଜାରି ରହିଥିବା ବେଳେ ଇସ୍ରାଏଲୀ ବୈଜ୍ଞାନିକମାନେ ଏହି ଅବସରରେ ହାସଲ କରିଛନ୍ତି ଏକ ବିରଳ ଉପଲବ୍ଧି । କରୋନାଭୂତାଣୁର ପ୍ରୋଟିନ୍ ବା ଆଣ୍ଟିବଡିକୁ ପୃଥକୀକରଣ କରି ସେମାନେ ଏହାର ମୁକାବିଲା ପାଇଁ ଏକ ସକ୍ଷମ ପ୍ରତିଷେଧକ ବାହାର କରିଥିବା ନେଇ ଦାବି କରିଛନ୍ତି । ନେସ୍ ଜୋଏନା ସ୍ଥିତ ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ ରିସର୍ଚ୍ଚ(ଆଇଆଇବିଆର୍) ସ୍ଥିତ ପରୀକ୍ଷାଗାରରେ ସେମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜୀବକୋଷର ପରିବର୍ଦ୍ଧିତ ରୂପ (ମନୋକ୍ଲୋନାଲ୍ ଆଣ୍ଟିବଡି)କୁ ବିକଶିତ କରିଛନ୍ତି ଯାହା କୌଣସି କୋଭିଡ୍–୧୯ ପୀଡ଼ିତଙ୍କ ଶରୀରରେ ଆସ୍ଥାନ ଜମାଇଥିବା କରୋନା ଭୂତାଣୁକୁ ପ୍ରଭାବଶୂନ୍ୟ କରିଦେବ।

ଏହା କରୋନା ଲଢେ଼ଇ ତଥା ଇସ୍ରାଏଲ୍ ପାଇଁ ଏକ ଚମତ୍କାର ଅଗ୍ରଗତି ଏବଂ ସଂପୃକ୍ତ ପ୍ରତିଷ୍ଠାନ ଇସ୍ରାଏଲ ପାଇଁ ଗୌରବ ଆଣିଦେଇଛି ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫ୍ତାଲି ବେନେଟ୍ କହିଛନ୍ତି। ଆଇଆଇବିଆର୍ ପରୀକ୍ଷାଗାରରେ ଏହି ପ୍ରତିଷେଧକର ପୂର୍ଣ୍ଣ ବିକାଶ ହୋଇପାରିଛି ଏବଂ ଏହାର ସର୍ବସ୍ବତ୍ବ ସଂରକ୍ଷଣ ପତ୍ର ବା ପ୍ୟାଟେଣ୍ଟ୍ ପାଇଁ ଉଦ୍ୟମ ହେଉଛି। ଏହାପରେ ବ୍ୟାବସାୟିକ ଭାବେ ଉକ୍ତ ପ୍ରତିଷେଧକର ବହୁଳ ଉତ୍ପାଦନ ପାଇଁ ଆନ୍ତର୍ଜାତିକ ଔଷଧ ନିର୍ମାତାମାନଙ୍କୁ ଯୋଗାଯୋଗ କରାଯିବ ବୋଲି ବେନେଟ୍ ସୂଚନା ଦେଇଛନ୍ତି ।

ତେବେ ଏପରି ଟିକାର ନୈଦାନିକ ପରୀକ୍ଷଣ ସରିଛି ନା ନାହିଁ ସେ ସଂକ୍ରାନ୍ତ ସବିଶେଷ ତଥ୍ୟ ମିଳିପାରିନାହିାଁ ତେଣୁ ବିଭିନ୍ନ ରାଷ୍ଟ୍ରର ଚିକିତ୍ସାବିଜ୍ଞାନୀମାନେ ମଧ୍ୟ ଇସ୍ରାଏଲର ଏପରି ଘୋଷଣାରେ ସନ୍ଦେହ ପ୍ରକଟ କରିଛନ୍ତି ।