କନକ ବ୍ୟୁରୋ : ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ଇସ୍ରାଏଲ ତରଫରୁ ଫିଲିସ୍ତିନ ଉପରେ ଜୋରଦାର ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ଇସ୍ରାଏଲ ସେନା ଦାବି କରିଛି କି ଗାଜା ପଟ୍ଟୀ ନିକଟବର୍ତ୍ତୀ ଅଞ୍ଚଳରୁ ୧୫ଶହ ହମାସ ଆତଙ୍କବାଦୀଙ୍କ ଶବ ମିଳିଛି ।

Advertisment

ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ କହିଛନ୍ତି କି, ଫିଲିସ୍ତିନ୍ ବନ୍ଧୁକଧାରୀମାନେ ଏବେ ବି ଇସ୍ରାଏଲ ଭିତରେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ସେନା ଗାଜାର ୨୦ ରୁ ଅଧିକ ଠିକଣା ଉପରେ ଆକ୍ରମଣ କରିଛନ୍ତି । ସେପଟେ ଗାଜା ତରଫରୁ ଇସ୍ରାଏଲ ଉପରେ ରକେଟ୍ ମାଧ୍ୟମରେ ଆକ୍ରମଣ କରାଯାଉଛିି ।

ଇସ୍ରାଏଲର ସୈନ୍ୟ ପ୍ରବକ୍ତା ରିଚର୍ଡ ହେଚଟ୍ କହିଛନ୍ତି କି, ଗାଜା ପଟ୍ଟୀ ଆଖପାଖ ଅଞ୍ଚଳରୁ ହମାସ ଆତଙ୍କବାଦୀଙ୍କ ପାଖାପାଖି ୧୫ ଶହ ଶବ ମିଳିଛି । ସୁରକ୍ଷା ବାହିନୀ ଗାଜା ସହ ସୀମାର ନିୟନ୍ତ୍ରଣ ଉପରେ ଦଖଲ ଦେଇଛି । ଗତକାଲି ରାତିରୁ କେହି ବି ସୀମା ଭିତରକୁ ପ୍ରବେଶ କରିନଥିବା କଥା ସେ କହିଛନ୍ତି ।

ସୂଚନା ଥାଉକି ଶନିବାର ଦିନ ହମାସ ଆତଙ୍କବାଦୀମାନେ ହଜାର ହଜାର ରକେଟ୍ ସହାୟତାରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଭିତରେ ପ୍ରବେଶ କରି ଲୋକଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଶତାଧିକ ଲୋକଙ୍କୁ ଅପହରଣ କରିନେଇଥିବା ମଧ୍ୟ ଅଭିଯୋଗ ରହିଛି । ଏହାର ଜବାବରେ ଇସ୍ରାଏଲ ଗାଜା ଉପତ୍ୟକାରେ ଥିବା ହମାସ ଆତଙ୍କବାଦୀଙ୍କ ଠିକଣା ଉପରେ ବଡ ଧରଣର ଏୟାର ଷ୍ଟ୍ରାଇକ୍ ଚଳାଇଛି ।