୫ ବର୍ଷ ପରେ ପୁଣି ସାମ୍ନାକୁ ଆସିଲା ଆଇଏସଆଇଏସ ମୁଖ୍ୟ ବାଗଦାଦି : ଇସଲାମିକ ଷ୍ଟେଟ ଜାରି କଲା ନୂଆ ଭିଡିଓ, ଆରବୀ ଭାଷାରେ କରୁଛି ସମ୍ବୋଧନ

248

କନକ ବ୍ୟୁରୋ : ମରି ନାହିଁ ବାଗଦାଦି । ଆଇଏସର ମୁଖିଆ ଅଲ୍ ବାଗଦାଦି ଆଜି ବି ବଂଚିଛି । ହଁ ଏକଥା ଆମେ କହୁନୁ, ଏହାର ପ୍ରମାଣ ହେଉଛି ଏକ ଭିଡିଓ । ଗତ ୫ ବର୍ଷରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ବାଗଦାଦିର ଏକ ପ୍ରୋପାଗଣ୍ଡା ଭିଡିଓ । ଗତ ସୋମବାର ଆତଙ୍କୀ ସଂଗଠନ ଆଇଏସ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଅବୁ ବକର ଅଲ ବାଗଦାଦିକୁ । ଗତ ୫ ବର୍ଷରେ କେବେ ବି ତାର ଭିଡିଓ ସାମ୍ନାକୁ ଆସିନଥିଲା । ହେଲେ ଏବେ ଏହା ଆସିଛି ସାମ୍ନାକୁ । ତେବେ ଏହା ସ୍ପଷ୍ଟ କରାଯାଇନି କି ଭିଡିଓ ଟି କେବେ ସୁଟ୍ ହୋଇଥିଲା । ଏବେ ସିରିୟାରେ ଆଇଏସର ଶେଷ ଗଡ ବାଗୁଜକୁ ବଂଚାଇ ରଖିବାକୁ ଜାରି ରହିଛି ଲଢେଇ ।

ଆତଙ୍କୀଙ୍କ ବିରୋଧରେ ମାସେରୁ ଅଧିକ ସମୟ ଧରି ଚାଲିଥିବା ଅପରେସନ୍ ଗତ ଫେବ୍ରୁଆରୀ ଶେଷରେ ଶେଷ ହୋଇଥିଲା । ଆମେରିକା ନେତୃତ୍ୱରେ ନାଟୋ ସେନା ଓ ସିରିୟା ଡେମୋକ୍ରାଟିକ୍ ଫୋର୍ସ ମିଳିତ ଅପରେସନରେ ବଡ ଧରଣର ସଫଳତା ହାସଲ କରିଥିଲା ଆଇଏସ ଆତଙ୍କୀଙ୍କ ବିରୋଧରେ । କିଛି ବର୍ଷ ପୂର୍ବରୁ ସିରିୟାର ବଡ ଅଂଶ ଇସଲାମିକ୍ ଷ୍ଟେଟ୍ କବଜାରେ ଥିଲା । ହେଲେ ଏବେ ଏହା ପୁରା ପତଳା ହୋଇଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଶ୍ରୀଲଙ୍କାରେ ସିରିଜ ହମଲାର ୭ ଦିନ ପରେ ସାମ୍ନାକୁ ଆସିଛି ବାଗଦାଦିର ଭିଡିଓ । ତେବେ ନିଜ ଗଡରେ ଆଇଏସଆଇଏସ ଧୂଳି ଚାଟିବା ପରେ ଏବେ ବିଭିନ୍ନ ଦେଶରେ ଏହାର ଅନୁଗତଙ୍କୁ ଧରି ଏପରି ବିସ୍ଫୋରଣ ଘଟାଇବା ଯୋଜନା କରିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହାର ସମର୍ଥକଙ୍କୁ ଅଧିକ ମନୋବଳ ଯୋଗାଇବାକୁ ଯୋଜନାବଦ୍ଧ ଭାବେ ବାଗଦାଦିର ଭିଡିଓ ଜାରି କରାଯାଇଥିବା ଅନୁମାନ କରୁଛନ୍ତି ସୁରକ୍ଷା ବିଶେଷଜ୍ଞ ।