ହିଜାବ ବିବାଦ: ବଡ ବୟାନ ରଖିଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ, ଇସଲାମିକ ସଂସ୍ଥା PFI ଉପରେ ଲାଗିପାରେ ବ୍ୟାନ୍

ହିଜାବ ବିବାଦ: ବଡ ବୟାନ ରଖିଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ, ଇସଲାମିକ ସଂସ୍ଥା PFI ଉପରେ ଲାଗିପାରେ ବ୍ୟାନ୍

କନକ ବ୍ୟୁରୋ: ହିଜାବ ବିବାଦକୁ ସାରା ଦେଶରେ ଏବେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ, ଏହାକୁ ନେଇ ଏବେ କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ବିସି ନାଗେଶ ଏକ ବଡ ବୟାନ ଦେଇଛନ୍ତି । କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ଏବେ କ୍ୟାମ୍ପସ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ସିଏଫ୍ଆଇ)ର ଭୂମିକା ନେଇ ଯାଞ୍ଚ କରାଯାଉଛି । ସିଏଫଆଇ ହେଉଛି ପିଏଫଆଇର ଛାତ୍ର ଶାଖା ।

କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀଙ୍କ କହିଛନ୍ତି ଯେ, ପିଏଫଆଇ ବ୍ୟାନ୍ ଉପରେ ଆମେ ମନା କରିପାରିବୁ ନାହିଁ । ଆମକୁ ସନ୍ଦେହ ଅଛି ଯେ, ଇସଲାମିକ୍ କଟ୍ଟରପନ୍ଥୀ ସଂସ୍ଥା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ଫିଏଫଆଇ)ର ହାତ ଏହି ବିବାଦ ସୃଷ୍ଟି କରିବାରେ ରହିଛି । ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପୂରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ପ୍ରଦର୍ଶନକାରୀଙ୍କ ସହ କୌଣସି ପ୍ରକାର ବୁଝାମଣା ହେବ ନାହିଁ । ଏ ସମ୍ଭନ୍ଧରେ ସର୍କୁଲାର ପୂରା ରାଜ୍ୟରେ ବାଣ୍ଟି ଦିଆଯାଇଛି । ତେବେ ଛାତ୍ରମାନଙ୍କୁ କେବେ ବି ଅଲଗା ଅଲଗା କରି ବଣ୍ଟା ଯାଇପାରିବ ନାହିଁ, ଏହି ବିଷୟରେ ସରକାର କେବେ ବି ପଛଘୁଞ୍ଚା ଦେବେ ନାହିଁ ବୋଲି କର୍ଣ୍ଣାଟକର ମନ୍ତ୍ରୀ କହିଛନ୍ତି ।  ବିସି ନାଗେଶ କହିଛନ୍ତି, ଫେବ୍ରୁଆରୀ ୧ ତାରିଖରୁ କିଛି ଲୋକ ଟିଭିରେ ଆସି ଏ ସମ୍ବନ୍ଧରେ କହୁଛନ୍ତି ଆଉ ଲୋକଙ୍କୁ ଉସୁକାଉଛନ୍ତି । ତେବେ କିଛି ସଂସ୍ଥା ଉପରେ ସନ୍ଦେହ ଅଛି । ଏମାନେ ହେଉଛନ୍ତି ସେହି ଲୋକ, ଯେଉଁମାନେ ଝିଅମାନଙ୍କୁ ମୁଖ୍ୟଧାରାକୁ ଆଣିବାକୁ ଚାହୁଁନାହାଁନ୍ତି ବୋଲି ସେ କହିଛନ୍ତି । ତେବେ ଉଡୁପିରେ ଏହି ଘଟଣା ଘଟିବା ପରେ, ସାରା ରାଜ୍ୟରେ ଏହାକୁ ଖେଳାଇବାକୁ ଚେଷ୍ଟା କରାଯାଉଛି । ଯେଉଁଥିପାଇଁ କିଛି ସଂସ୍ଥା ରୀତିମତ ଚେଷ୍ଟା ଚଳାଇଛନ୍ତି । ସବୁ ମାମଲାର ଯାଞ୍ଚ କରାଯିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ଣ୍ଣାଟକର ମନ୍ତ୍ରୀ ।

ଅନ୍ୟପଟେ କର୍ଣ୍ଣାଟକର ସଂସ୍କୃତି ମନ୍ତ୍ରୀ ସୁନୀଲ କୁମାର ଏହି ଘଟଣାରେ କଂଗ୍ରେସକୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ଯେଉଁ ଲୋକ କଲେଜ ଫିସ୍ ଦେଉନାହାଁନ୍ତି, ସେମାନେ କୋର୍ଟ ଯାଇପାରୁଛନ୍ତି । ତେବେ ଏସଡିପିଆଇ ଉପରେ ବ୍ୟାନ୍ ଲଗାଇବା ସମ୍ପର୍କରେ ସେ କୌଣସି ସିଧାସଳଖ ଉତ୍ତର ରଖିନାହାଁନ୍ତି । ସେ କହିଛନ୍ତି ଏସଡିପିଆଇ ଏକ ରାଜନୈତିକ ଦଳ । ତେଣୁ ରାଜନୈତିକ ଦଳକୁ ବ୍ୟାନ୍ କରିବାକୁ ହେଲେ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe