ସୁରକ୍ଷା ଆଳରେ ପାକ ପୋଲିସର ମସ୍ତି, ଖାଇଦେଲେ ୨୭ ଲକ୍ଷ ଟଙ୍କାର ବିରିୟାନୀ । କିଏ ଭରିବ ଟଙ୍କା ?

712

କନକ ବ୍ୟୁରୋ : ପାକିସ୍ତାନ ଅର୍ଥ ବ୍ୟବସ୍ଥାର ଦୁର୍ଦ୍ଦଶା ବାବଦରେ କିଏ ବା ନଜଣେ । ପାକ୍ ପ୍ରଧାନମନ୍ତ୍ରୀ ଦେଶ ଚଳାଇବାକୁ ଟଙ୍କା ଯୋଗାଡ କରିବାରେ ଚାରିଆଡେ ହାତ ପାତୁଛନ୍ତି । ଏଭଳି ପରିସ୍ଥିତି ମଧ୍ୟରେ ବିଦେଶୀ କ୍ରିକେଟ ଟିମ ଗସ୍ତ ବେଳେ ସେମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଯଦି କିଛିଦିନ ମଧ୍ୟରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇ ଦିଅନ୍ତି ତେବେ ………

ପାକିସ୍ତାନ ଗଣମାଧ୍ୟମ ୨୪ ନ୍ୟୁ ଏଚଡିଟିଭିର ୱେବସାଇଟରେ ପ୍ରକାଶିତ ଖବର ମୁତାବକ ନ୍ୟୁଜଲାଣ୍ଡ ଟିମ୍ ପାକିସ୍ତାନରେ ଗୋଟିଏ ସପ୍ତାହ ରହିଥିଲେ , ଏହି କ୍ରମରେ ଇସଲାମାବାଦର ପୋଲିସ ସେମାନଙ୍କୁ ସୁରକ୍ଷା ଦେବାକୁ ସେଠାରେ ଗୋଟିଏ ସପ୍ତାହ ରହିଥିଲେ । ଏହି ଗୋଟିଏ ସପ୍ତାହ ମଧ୍ୟରେ ବିଦେଶୀ ଖେଳାଳୀଙ୍କୁ ସୁରକ୍ଷା ଯୋଗାଉଥିବା ପୋଲିସ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଛନ୍ତି ।

ଏହି ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଏତେ ବଡ ପରିମାଣର ରାଶିକୁ ପାସ କରିବାକୁ ଅର୍ଥ ବିଭାଗକୁ ପଠାଯାଇଥିଲା । ଯାଂଚ ବେଳେ ଏତେ ପରିମାଣର ଅର୍ଥ ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ବିଲକୁ ଅଟକାଯାଇଥିଲା । ବର୍ତମାନ ସୁଦ୍ଧା ଏହି ବିଲ ପାସ ହୋଇପାରି ନାହିଁ । କେବଳ ସେତିକି ନୁହେଁ ନ୍ୟୁଜଲାଣ୍ଡ ଖେଳାଳୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା କନେଷ୍ଟେବୁଲାରୀ ଯବାନଙ୍କ ଖାଇବା ବିଲ ଏବେ ବି ଆସିବାକୁ ବାକି ରହିଛି । ଏନେଇ ପ୍ରଶ୍ନ ଉଠୁଛି ଯେ ସୁରକ୍ଷା ଆଳରେ ମସ୍ତି କରି ଏତେ ଟଙ୍କା ଖର୍ଚ୍ଚ କରିଥିବା ସୁରକ୍ଷାକର୍ମୀଙ୍କ ବିଲ କିଏ ଭରିବ ?

କହିରଖୁ କି ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିଲେ । ସେଠାରେ ଟିମକୁ ୩ ଟି ଏକଦିବସୀୟ ଓ ୫ ଟି ଟ-୨୦ ମ୍ୟାଚ୍ ଖେଳିବାର ଥିଲା । ଏହି ଏକଦିବସୀୟ ସିରିଜ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୭ ତାରିଖରେ ରାଉଲପୀଣ୍ଡ ଠାରେ ଖେଳାଯିବାର ଥିଲା । ହେଲେ ଟଚ୍ ପଡିବାର ମାତ୍ର କିଛି ସମୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ ରଦ୍ଦ ହୋଇଥିଲା ।