ଆଫଗାନିସ୍ତାନ ପରେ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆଇଏସକେପି । ସତର୍କ କରାଇଲା ଗୁଇନ୍ଦା ବିଭାଗ, ଜାଣନ୍ତୁ କାହା ଇସାରାରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଆଇଏସକେପି?

277

କନକ ବ୍ୟୁରୋ : ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ଆଇଏସକେପି । ଆଫଗାନିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କରିଥିବା ଆଇଏସକେପି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଇଙ୍ଗିତରେ ଭାରତରେ କିଛି ଏଭଳି ଢଙ୍ଗରେ ଆତଙ୍କବାଦୀ ଆକ୍ରମଣ କରିପାରେ । ଏଥିପାଇଁ କର୍ଣ୍ଣାଟକ ଓ କାଶ୍ମୀରରେ ଥିବା ନିଜ ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରୁଛି ଆଇଏସକେପି । ଏନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ପୂର୍ବରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ଜେରା ପରେ ଏଭଳି ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଏ ଇସାରାରେ ଭାରତରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ କରିବାକୁ ଆଇଏସକେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଆଉ ଏଥିପାଇଁ ଭାରତରେ ଥିବା ଆତଙ୍କବାଦୀ ସାଥୀଙ୍କୁ ବିସ୍ଫୋଟକ ଓ ଛୋଟ ମାରଣାସ୍ତ୍ର ଯୋଗାଡ କରିବାକୁ କହିଛି । ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯୋଜନା ବାବଦରେ ଭାରତୀୟ ଗୁଇନ୍ଦା ସଂସ୍ଥା ଜାଣିବା ପରେ କର୍ଣ୍ଣାଟକ ଓ କାଶ୍ମୀରରୁ କିଛି ଯୁବକଙ୍କୁ ଉଠାଇ ଆଣିବା ସହ ପଚରାଉଚରା ଜାରି ରଖିଛି ।

ଗୁଇନ୍ଦା ସୂଚନା ଅନୁଯାୟୀ, ଆଇଏସକେପିର ଆତଙ୍କବାଦୀଙ୍କ ଟାର୍ଗେଟରେ ମନ୍ଦିର, ଗହଳି ଅଞ୍ଚଳ, ବିଦେଶୀ ନାଗରିକ ରହିଛନ୍ତି । ଆଉ ଏଥିପାଇଁ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡିକୁ ଆଲର୍ଟ କରାଯାଇଛି । ଆଉ ଆଇଏସକେପି ଦ୍ୱାରା ଏଭଳି ଆତଙ୍କବାଦୀ ଆକ୍ରମଣ କରାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମତଃ ଭାରତରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଓ ଦ୍ୱିତୀୟତଃ ଆଇଏସଆଇ ଇସାରାରେ ଆଇଏସକେପି  ଆଫଗାନିସ୍ତାନରେ ଆକ୍ରମଣ କରିଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଉପରୁ ନଜର ହଟାଇବା । ତେବେ ଏହି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଭାରତରୁ କିଏ ସାମିଲ ହୋଇଛନ୍ତି ଓ ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ ଟାର୍ଗେଟ କରାଯାଇଛି ସେ ବାବଦରେ ତଥ୍ୟ ସଂଗ୍ରହ କରିବା ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡିକ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।