ବାଂଲାଦେଶରେ ମୌଳବାଦୀଙ୍କ ଉନ୍ମତ କାଣ୍ଡ । ଦୁର୍ଗାପୂଜା ପେଣ୍ଡାଲ ଓ ଇସ୍କନ ମନ୍ଦିରରେ ସଂଘବଦ୍ଧ ଆକ୍ରମଣ । 

141

କନକ ବ୍ୟୁରୋ : ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଭାରତର ଚିନ୍ତା ବଢାଇ ଦେଇଛି । ପବିତ୍ର ଦଶହରା ଅବସରରେ ବାଂଲାଦେଶରେ ହିନ୍ଦୁ ଓ ହିନ୍ଦୁଙ୍କ ଧାର୍ମିକ ପୀଠ ଉପରେ ଆକ୍ରମଣ ହୋଇଛି । ଦୁର୍ଗାପୂଜା ପେଣ୍ଡାଲ ଓ ଇସ୍କନ ମନ୍ଦିରର ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଛନ୍ତି ଇସଲାମ ମୌଳବାଦୀ । ଆକ୍ରମଣରେ ଜଣେ ଇସ୍କନ ସଦସ୍ୟଙ୍କ ସମେତ ୩ ଜଣ ହିନ୍ଦୁ ପ୍ରାଣ ହରାଇଛନ୍ତି । ଭାରତ ସରକାର ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବାଂଲାଦେଶରେ ଉତ୍ୟକ୍ତ ଜନତାଙ୍କ ଉନ୍ମତକାଣ୍ଡ । ଦୁର୍ଗାପୂଜା ପେଣ୍ଡାଲ, ଇସ୍କନ ମନ୍ଦିରରେ ଭଙ୍ଗାରୁଜା । ଶ୍ରଦ୍ଧାଳୁଙ୍କ ସହ ମାରପିଟ କଲେ ଉତ୍ତ୍ୟକ୍ତ ଜନତା । ବାଂଲାଦେଶରେ ସାଂପ୍ରଦାୟିକ ହିଂସା, ଉଗ୍ର ରୂପ ନେଇଛି । ଦୁର୍ଗାପୂଜା ଅବସରରେ ହିନ୍ଦୁଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି ମୁସଲିମ ମୌଳବାଦୀ । ନୂଆଖଲି ଜିଲ୍ଲା କୋମିଲ୍ଲା ଅଂଚଳରେ ପ୍ରଥମେ ଦୁର୍ଗାପୂଜା ପେଣ୍ଡାଲ ଓ ପରେ ଇସ୍କନ ମନ୍ଦିରରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଶହ ଶହ ଲୋକଙ୍କ ଭିଡ଼, ଇସ୍କନ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ସହ ଶ୍ରଦ୍ଧାଳୁଙ୍କୁ ମାଡ ମାରିଛନ୍ତି । ଦୁର୍ବୃତଙ୍କ ଆକ୍ରମଣରେ ଇସ୍କନ ସଦସ୍ୟ ପାର୍ଥ ଦାସଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ବୃତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ସହ ହିନ୍ଦୁ ସଂପ୍ରଦାୟଙ୍କୁ ସୁରକ୍ଷା ଦେବାକୁ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିଛି ଇସ୍କନ ।

ବାଂଲାଦେଶରେ ହିନ୍ଦୁଙ୍କ ମନ୍ଦିରରେ ଆକ୍ରମଣ ଘଟଣାର ପ୍ରତିବାଦରେ ବାଲେଶ୍ୱର ସୋରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୋର ଢାଲଙ୍ଗ ଠାରେ ଶ୍ରୀରାମ ସେବା ସଂଗଠନ ବିରୋଧ ପ୍ରଦର୍ଶନ କରିବା ସହ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେଇଥିବା ସେଫିକ୍ୱର ରେହେମାନଙ୍କ କୁଶ ପୁତଳିକା ଦାହ କରାଯାଇଛି ।

ବାଂଲାଦେଶରେ ହିନ୍ଦୁଙ୍କ ଧାର୍ମିକ ପୀଠରେ ଆକ୍ରମଣ ଘଟଣାର ତୀବ୍ର ପ୍ରତିବାଦ କରିଛି ଭାରତ । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାଂଲାଦେଶ ସହ ସୁସମ୍ପର୍କ ସତ୍ୱେ ହିନ୍ଦୁଙ୍କ ଉପରେ ମୌଳବାଦୀଙ୍କ ଆକ୍ରମଣ ଭାରତର ଚିନ୍ତା ବଢାଇ ଦେଇଛି ।