କନକ ବ୍ୟୁରୋ : ବାଂଲାଦେଶରେ ପୁଣିଥରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ରାଜଧାନୀ ଢାକାରେ ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ଗୁରୁବାର ସନ୍ଧ୍ୟାରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଛନ୍ତି । ଏହି ମନ୍ଦିର ଉପରେ ଦୁବୃର୍ତ୍ତ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି । ଏପରିକି ଅନେକ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟ୍ କରି ନେଇଥିବା ଅଭିଯୋଗ କରିଛନ୍ତି । ଆଉ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଢାକାର ବାରି ଅଞ୍ଚଳରେ ୨୨୨ ଲାଲ ମୋହନ ସାହା ଷ୍ଟ୍ରିଟରେ ଥିବା ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ସନ୍ଧ୍ୟା ୭ଟାରେ ଏହି ଆକ୍ରମଣ ହୋଇଥିଲା । ପ୍ରାୟ ୨୦୦ରୁ ଅଧିକ ଲୋକ ଏହି ଆକ୍ରମଣ କରିଥିବା ବେଳେ ମନ୍ଦିରର ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିଛନ୍ତି । ହିନ୍ଦୁ ମନ୍ଦିର ଉପରେ ବାଂଲାଦେଶରେ ଏହା ପ୍ରଥମ ଆକ୍ରମଣ ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ଗତବର୍ଷ ନବରାତ୍ରୀ ସମୟରେ ହିନ୍ଦୁଙ୍କ ବିରୋଧରେ ଅପପ୍ରଚାର କରିବା ସହ ଦୁର୍ଗା ପୂଜା ପେଣ୍ଡାଲ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏପରିକି ଅନେକ ହିନ୍ଦୁ ଲୋକଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।
ISKCON Radhakanta temple in Bangladesh's Dhaka vandalised yesterday. More details awaited.
— ANI (@ANI) March 18, 2022
ବାଂଲାଦେଶରେ ସଂଖ୍ୟାଲଘୁ ଲୋକଙ୍କ ଅଧିକାର ପାଇଁ ଲଢୁଥିବା ଏକେଏସ ସଂସ୍ଥ୍ା ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ୩୬୭୯ ଥର ଆକ୍ରମଣର ଶିକାର ହେବାକୁ ପଡିଛି । ଏହି ସମୟରେ ୧୬୭୮ଟି ଧାର୍ମିକ ସ୍ଥଳରେ ଭଙ୍ଗାରୁଜା ହୋଇଥିବା ବେଳେ ଅନ୍ୟ ଆକ୍ରମଣ ଗୁଡିକ ହିନ୍ଦୁ ସମୁଦାୟର ଲୋକଙ୍କୁ ଟାର୍ଗେଟ କରି କରାଯାଇଛି ।